୨୦୨୪ର ରୋଚକ ଲଢ଼େଇ: ଦୁଇ ଭାଇ ଓ ଖୁଡ଼ୀ-ପୁତୁରା ମୁହାଁମୁହିଁ

Odisha Hot News
1 Min Read

ଭୁବନେଶ୍ଵର: ଚଳିତ ନିର୍ବାଚନରେ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ, ମାଆ ପେଟର ଦୁଇ ଭାଇ କେହି କାହାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ଭାଇ ଭାଇ ନୁହଁନ୍ତି ଗୋଟିଏ ପରିବାରର ସଦସ୍ୟ ଖୁଡ଼ୀ-ପୁତୁରା କ୍ଷମତା ହାସଲ କରିବା ପାଇଁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି।

ଏଭଳି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣା ଆମେ ପଢ଼ିବାକୁ ପାଉଥିଲୁ। କିନ୍ତୁ ଏବେ ଆମ ରାଜ୍ୟରେ ଏହିପରି ଦୁଇଟି ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ। ଚିକିଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ କଂଗ୍ରେସ ଦଳରୁ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜେପି ଟିକଟରେ ଚିକିଟି ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାକୁ ନେଇ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

ସେହିପରି ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ପାରିବାରିକ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ନବରଙ୍ଗପୁରର ସଂସଦୀୟ କ୍ଷେତ୍ରର ୯ଥରର ସାଂସଦ ଖଗପତି ପ୍ରଧାନୀଙ୍କ ପୁଅ ତଥା ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଦଳ ପ୍ରାର୍ଥୀ କରିଛି। କୌଶଲ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଖଗପତିଙ୍କ ଅନ୍ୟତମ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ। ଦିଲ୍ଲୀପଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ତେନ୍ତୁଳି ଖୁଣ୍ଟି ବ୍ଳକ ଅଧ୍ୟକ୍ଷ ହେବାକୁ ଚେଷ୍ଠାକରୁଥିଲାବେଳେ ସଦାଶିବ ପରିବାର କଥା ଚିନ୍ତା ନ କରି ଏଥିରେ ବାଧା ସୃଷ୍ଟି କରିଥିଲେ ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି। ତେଣୁ ସେ ପରିବାର କଥା ଚିନ୍ତା ନ କରି ଜାତୀୟ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା କହିଛନ୍ତି।

Share This Article