ପଣା ସଂକ୍ରାନ୍ତି ଅବସରରେ ପୁରୀର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କଲେ ଡକ୍ଟର ସମ୍ବିତ ପାତ୍ର

Odisha Hot News
1 Min Read

ପୁରୀ: ପୁରୀ ସହରର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କରି ଓଡ଼ିଆଙ୍କ ପ୍ରିୟ ପର୍ବ ପବିତ୍ର ପଣା ସଂକ୍ରାନ୍ତି ପାଳନ କରିଛନ୍ତି ପୁରୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ସେ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଆରମ୍ଭ କରିଥିଲେ।

ଏହି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଉଥିବାରୁ ସେ ପୁରୀ ନଗରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ହନୁମାନ ମନ୍ଦିର ଓ ଜାଗା ଆଖଡ଼ା ପରିଦର୍ଶନ କରିଥିଲେ ଡକ୍ଟର ସମ୍ବିତ ପାତ୍ର।

ଏହି କ୍ରମରେ ସେ ମହାବୀର ହନୁମାନ ଜୟନ୍ତୀର ଶୁଭ ଅବସରରେ ପୁରୀ ସହର ସ୍ଥିତ ସୁଗ୍ରୀବ ମହାବୀରଙ୍କ ଦର୍ଶନ କରିଥିଲେ। ମହାବୀର ହନୁମାନଙ୍କ ନିକଟରେ ପୁରୀ ଲୋକସଭାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହିତ ସମସ୍ତ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ନିମନ୍ତେ ପ୍ରାର୍ଥନା କରିଥିଲେ। ସେହିଭଳି ପୁରୀର ଚୂଡ଼ଙ୍ଗ ଗଡ଼ ଜାଗା ଆଖଡ଼ାର ଅନନ୍ୟ ପରମ୍ପରା ସାହିଯାତ୍ରାରେ ମଧ୍ୟ ଭାଗନେବାର ସୁଯୋଗ ପାଇଥିଲେ।

ରାମଚଣ୍ଡୀ ସାହି ଥିବା ସୁନ୍ଦର ଆଖଡ଼ା ପରିଦର୍ଶନ କରିବା ସହ ଆଖଡ଼ା ରେ ବ୍ୟାମ କରିବାର ପରମ୍ପରାରେ ଭାଗ ନେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସାହିର ବାଣବରେଶ୍ୱର, ମାର୍କଣ୍ଡେଶ୍ୱର ସାହିର ମାର୍କଣ୍ଡେଶ୍ୱର ମନ୍ଦିର, ପଞ୍ଚମୁଖି ବ୍ୟାୟାମ ବିଦ୍ୟାଳୟ, ବାସେଳିସାହିର ମହାବୀର ମନ୍ଦିର, ହରଚଣ୍ଡୀ ସାହିର ବାରବାଟୀ ଜାଗା ଘର ଏବଂ ତାପଙ୍ଗ ଜାଗା ଘର ଆଦି ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ନିଜେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପୁରୀର ସଂସ୍କୃତି ଅନନ୍ୟ ତଥା ଏହା ଉତ୍କଳୀୟ ସଂସ୍କୃତିର କେନ୍ଦ୍ର ବିନ୍ଦୁ। ପୁରୀର ଆଖଡ଼ା ଓ ଜଗାଘର ଉତ୍କଳୀୟ ବୀର ସଂସ୍କୃତିର ଆଧାର। ଏହା ଆଜି ମଧ୍ୟ ନିଜ ଗୌରବକୁ ବଜାୟ ରଖିଛି।

Share This Article