ସୁରେଶ ରାଉତରାୟଙ୍କୁ କଂଗ୍ରେସ ପଠାଇଲା କାରଣଦର୍ଶା ନୋଟିସ, ଜାଣନ୍ତୁ କଣ ପାଇଁ

Odisha Hot News
2 Min Read

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଏକ କାରଣଦର୍ଶା ନୋଟିସ ଜାରୀ କରିଛି। ଏଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟକରୁଥିବାର ଉଲ୍ଲେଖ କରାଯାଇଛି। ସେ ସଂପର୍କରେ ଉଚିତ କାରଣ ଲେଥିବା ପାଇଁ ଦଳ ନୋଟିସ କରିଛି। ଏପରିକି ଏହି ନୋଟିସରେ କାହିଁକି ତୁମ ବିରୋଧରେ ପଦକ୍ଷେପ ନିଆ ନ ଯିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଘଟଣାଟି ହେଉଛି ଯେ, ମଙ୍ଗଳବାର ଦିନ ଶ୍ରୀ ରାଉତରାୟ ଉତ୍ତର ଭୁବନେଶ୍ବରରେ ଏକ କ୍ରିକେଟ ମ୍ୟାଚ ଉଦଘାଟନକୁ ଯାଇଥିଲେ। ସେଠାରେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ଏକ ସଭାରେ ଶ୍ରୀ ରାଉତରାୟ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଭୋଟ ଦିଅ ବୋଲି ଅନୁରୋଧ କରିଥିଲେ।

ଏହାକୁ ନେଇ କଂଗ୍ରେସ ଶ୍ରୀ ରାଉତରାୟଙ୍କ ଉପରେ ଖପ୍ପା ହୋଇ ଉଠିଛି। ସେଥିପାଇଁ ତାଙ୍କୁ କାରଣଦର୍ଶା ନୋଟିସ ପଠାଯାଇଛି। ତେବେ ଏହାକୁ ନେଇ ଶ୍ରୀ ରାଉତରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ଦଳୀୟ ସଭାକୁ ଯାଇ ନ ଥିଲି। କୌଣସି ଚିହ୍ନ କିମ୍ବା କାହା ବ୍ୟାନର କଥା କହି ନ ଥିଲି। ମୁଁ ମୋ ପୁଅକୁ ଭୋଟ ଦିଅ ବୋଲି କହିଥିଲି।

ସେ ଆହୁରି କହିଛନ୍ତି ଯେ, ମୁଁ ଆଗରୁ ସ୍ପଷ୍ଟ କରିଛି ଯେ ମୁଁ ମୋ ପୁଅ ପାଇଁ ପ୍ରଚାର କରିବି। ହେଲେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଏଥିରେ ଯଦି କଂଗ୍ରେସ ତରଫରୁ କିଛି ଅସୁବିଧା ହେଉଛି ତେବେ ମୋ ବିରୋଧରେ ଯାହା କରିବାର ଅଛି କର। ମୁଁ ତାହାକୁ ସ୍ବାଗତ କରୁଛି। ସେ ରାଗି କରି କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି ବୋଲି କଣ ମୋ ପୁଅକୁ ଫିଙ୍ଗି ଦେବି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଏହା ଉପରେ କଂଗ୍ରେସ ଶୃଙ୍ଖଳା କମିଟ ତରଫରୁ ଆଉ କିଛି କୁହାଯାଇ ନାହିଁ। ହେଲେ ଶ୍ରୀ ରାଉତରାୟଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ନିଶ୍ଚିତ ଭାବେ ଗୁରୁତର ସହ ଗ୍ରହଣ କରିଛି। ଯାହା ଜଣାପଡିଛି ତାଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଇଛି।

Share This Article