ଓଲଟିଲା ସୁର ରାଉତରାୟଙ୍କ ଘର ରାଜନୀତି, ଏବେ ବଡପୁଅ କହିଲେଣି ଜଟଣୀରୁ ଛିଡା ହେବେ

Odisha Hot News
2 Min Read

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଦୁଇ ପୁଅଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଭାଗ ବଣ୍ଟା ସରିପାରୁ ନାହିଁ। ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପୂର୍ବରୁ ଯାହା କହୁଥିଲେ ସେଥିରେ ସେ ମତ ବଦଳାଇଲେଣି। ଏବେ ସିଦ୍ଧାର୍ଥ କହିଲେଣି ଯେ, ମୁଁ ନିମାପଡାରୁ ନୁହେଁ ଜଟଣୀ ବିଧାନସଭାରୁ ଲଢିବି।

ତେବେ ସିଦ୍ଧାର୍ଥ କହିଛନ୍ତି ଯେ, ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବି। ସେ କାହା ନାମ ନ ନେଇ କହିଛନ୍ତି ତାଙ୍କୁ ୱାକଓଭର କରିବାକୁ ଦେବି ନାହିଁ। ଗତଥର ତାଙ୍କୁ ହରାଇବା ପାଇଁ ବହୁ ଚେଷ୍ଠା କରିଛି। ହେଲେ ଏଥର ସେ ସେମିତିରେ ନିର୍ବାଚନ ଜିତିିଯିବେ, ତାହାକୁ କଦାପି ମୁଁ ବରଦାସ୍ତ କରିବି ନାହିଁ। ସେଥିପାଇଁ ଜଟଣୀର ସ୍ବାଭିମାନ ପାଇଁ ମୁଁ ସ୍ବାଧୀନ ଭାବେ ଏଠାରୁ ଲଢେଇ କରିବି ବୋଲି ସିଦ୍ଧାର୍ଥ ଘୋଷଣା କରିଛନ୍ତି।

ତେବେ କଂଗ୍ରେସରୁ ନ ଲଢି ସ୍ବାଧୀନରୁ କାହିଁକି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଲୋକେ ଭଲ କହିବେ ନାହିଁ। ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ ପୁଅ କଂଗ୍ରେସରେ, ଏମାନେ କଣ ଏଠି ଖେଳ କରିବେ ? ସେପରି ପ୍ରଶ୍ନ ଜଟଣୀବାସୀଙ୍କ ମନରେ ନ ଉଠିବା ପାଇଁ ମୁଁ ସ୍ବାଧୀନରୁ ପ୍ରାର୍ଥୀ ହେବି ବୋଲି ସିଦ୍ଧାର୍ଥ କହିଛନ୍ତି। ମୋର ଗୋଟିଏ ଲକ୍ଷ୍ୟ ହେବ ସେମାନଙ୍କୁ ହରାଇବା। ସେଥିପାଇଁ ମୁଁ ନିମାପଡା ଛାଡି ଜଟଣୀ ଆସିଲି ବୋଲି ସିଦ୍ଧାର୍ଥ କହିଛନ୍ତି।

କଂଗ୍ରେସ ଉପରେ ସେ କହିଛନ୍ତି ଯେ, ଏହିଦଳ ଆମକୁ ସବୁ କିଛି ଦେଇଛି। ବାପା ସେହି ଦଳରୁ ଆଜି ନେତା ହୋଇଛନ୍ତି। ତାହା ଆମେ କେବେ ଭୁଲିପାରିବୁ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ ମୁଁ କଂଗ୍ରେସରୁ ଲଢେଇ କରିପାରିବି ନାହିଁ। ‘ସରି କଂଗ୍ରେସ’ ବୋଲି କହି ସେ ଦଳକୁ କ୍ଷମା ମାଗିଛନ୍ତି। ଏପରିକି ସେ କଂଗ୍ରେସକୁ ଭଲ ପାଆନ୍ତି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ତେବେ ସିଦ୍ଧାର୍ଥଙ୍କ ଏପରି ନିଷ୍ପତି ପରେ ଜଟଣୀ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ପୂର୍ବରୁ ସିଦ୍ଧାର୍ଥ ନିମାପଡାରୁ ଲଢେଇ କରିବେ ବୋଲି ଭାବି ସେଠାରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମତ ପରିବର୍ତ୍ତନ ଯୋଗୁଁ ଖୋଦ ସୁରେଶ ରାଉତରାୟ କଣ କରିବେ ବୋଲି କିଛି ଚିନ୍ତା କରିପାରୁ ନାହାଁନ୍ତି।

 

Share This Article