ଚିଲିକାରେ ପ୍ରବଳ ବିରୋଧ ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ଶୀତଳ ଭଣ୍ଡାରରେ ରଖିଲା ବିଜେଡି

Odisha Hot News
2 Min Read

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ। ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଆରମ୍ଭ ହେଲା କମ୍ପନ। କାରଣ ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ନୁହେଁ। ଏପରିକି ତାଙ୍କର ଚିଲିକା ସହିତ କୌଣସି ସଂପର୍କ ନ ଥିବାରୁ ବିଜେଡି କର୍ମି ତାଙ୍କ ନାମ ଶୁଣି ମୁହଁ ମୋଡି ଦେଲେ।

କର୍ମିଙ୍କ ମହଲରେ ଅସନ୍ତୋଷ ଜାଣିବା ପରେ ଦଳର ଶୀର୍ଷ ନେତୃତ୍ବ ଚିଲିକାର ନେତାମାନଙ୍କୁ ଡାକି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ହେଲେ କେହି ହେଲେ ପ୍ରସନ୍ନ ପାଟ୍ଟଶାଣଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ନ ଥିଲେ। ଏପରି ବିରୋଧ ପରେ ବିଜେଡି କଣ କରିବ ସେ ନେଇ କୌଣସି ପ୍ରତିଶୃତି କର୍ମୀଙ୍କୁ ଦେଇପାରି ନ ଥିଲା। ପରେ ବିଚାର କରାଯିବ ବୋଲି କହି ଚିଲିକା ନେତାଙ୍କୁ ସେଦିନ ବିଦାୟ କରି ଦିଆଯାଇ ଥିଲା।

କିଛିଦିନ ପରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହେଉଥିବା ଅରୂପ ପଟ୍ଟନାୟକ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ଏହି ଲୋକସଭା ଅଧିନରେ ଆସୁଥିବା ସମସ୍ତ ବିଧାନସଭାର ଭାବି ପ୍ରାର୍ଥୀମାନେ। ସେମାନେ ହେଲେ ପୁରୀରୁ ସୁନୀଲ ମହାନ୍ତି, ପିପିଲିରୁ ରୁଦ୍ର ମହାରଥୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ନୟାଗଡରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ।

ହେଲେ ଆଶ୍ଚର୍ଯ୍ୟର କଥା ପୁରୀ ଲୋକସଭାରେ ଚିଲିକା ଆସୁଥିଲେ ମଧ୍ୟ ସେଦିନ ଏହି ନିର୍ବାଚନ ମଣ୍ଡଳିରୁ କୌଣସି ଭାବି ପ୍ରାର୍ଥିଙ୍କୁ ଡକାଯାଇ ନ ଥିଲା। ଏପରିକି ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରେ ଥିଲେ ମଧ୍ୟ ସେହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନ ଥିଲା। ଫଳରେ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଯେଉଁ ଚିନ୍ତା କରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଲା। ଯଦି ସେ ପ୍ରାର୍ଥୀ ହୋଇ ଥାଆନ୍ତେ ତେବେ ତାଙ୍କୁ ପୁରୀ ଯିବା ପାଇଁ ନିଶ୍ଚିତ ନିର୍ଦ୍ଦେଶ ଦିଆଯାଇ ଥାଆନ୍ତା।

ଅନ୍ୟପଟେ ଚିଲିକାର ଅନ୍ୟତମ ଦାବୀଦାର ରଘୁନାଥ ସାହୁ ମଧ୍ୟ ଶଙ୍ଖ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେଠାରେ ସେ ପ୍ରାୟ ହଜାରେ ସମର୍ଥକଙ୍କୁ ନେଇ ଟିକେଟ ପାଇଁ ଦାବୀ କରିଛନ୍ତି। ହେଲେ ସେଠାରେ କର୍ମିମାନେ ରଘୁନାଥଙ୍କୁ ଯେତିକି ସମର୍ଥନ କରିଥିଲେ ତାହାଠାରୁ ଅଧିକ ପାଟ୍ଟଶାଣୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଏ ସବୁ ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ରଘୁନାଥ ଏବଂ ତାଙ୍କର କର୍ମି ଶଙ୍ଖ ଭବନରେ ଯେପରି ବିକ୍ଷୋଭ ପ୍ରଦର୍ଶନ କଲେ ସେଥିରେ ଦଳ କୁଆଡେ ତାଙ୍କ ଉପରେ ଖପ୍ପା ହୋଇ ଉଠିଛି। ଫଳରେ ବର୍ତ୍ତମାନ ରଘୁନାଥଙ୍କ ନାମକୁ ମଧ୍ୟ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଛି ବୋଲି ଶୁଣାଯାଇଛି। ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ବିଜେଡି କର୍ମୀ।

Share This Article