ସେଣ୍ଟ ଜନ ଆମ୍ବୁଲାନ୍ସର କାର୍ଯ୍ୟନିର୍ବାହୀ ବୈଠକ

Odisha Hot News
2 Min Read

ଭୁବନେଶ୍ୱର: ସେଣ୍ଟ ଜନ ଆମ୍ବୁଲାନ୍ସ ଦେଶରେ ପ୍ରାଥମିକ ଚିକିତ୍ସା ପ୍ରଦାନରେ ଅଗ୍ରଣୀ ଭୂମିକା ନେବା ସହ ଏକ ରୋଲ୍ ମଡେଲ୍ ଭାବରେ ପରିଗଣିତ। ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠା ଓ ସମର୍ପଣ ମନୋଭାବ ବାସ୍ତବିକ ପ୍ରଶଂସନୀୟ। ବିଶେଷ କରି ପ୍ରାଥମିକ ଚିକିତ୍ସା ସେବା, ପ୍ରଶିକ୍ଷଣ ଓ ଆପତ୍‌କାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନରେ ସଂଗଠନର କାର୍ଯ୍ୟ ବେଶ୍ ପ୍ରେରଣାଦାୟୀ। ପ୍ରାଥମିକ ଚିକିତ୍ସା ସେବାର ବିଶେଷ ଗୁରୁତ୍ୱ ରହିଛି।

ପ୍ରତ୍ୟେକ ବିଶେଷତଃ ଯୁବଗୋଷ୍ଠୀ ଏ ବିଷୟରେ ପ୍ରଶିକ୍ଷିତ ହେବା ଦରକାର। ସେବା ଓ ପ୍ରଶିକ୍ଷଣ ପରିସରକୁ ଆହୁରି ପ୍ରସାରିତ କରିବାକୁ ରାଜ୍ୟପାଳ ରଘୁବର ଦାସ ସେଂଟ୍ ଜନ ଆମ୍ବୁଲାନ୍ସ ଓଡ଼ିଶା ରାଜ୍ୟ କେନ୍ଦ୍ରର କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି।

ରାଜଭବନଠାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ସେଣ୍ଟ ଜନ ଆନୁକୂଲ୍ୟର ଲକ୍ଷ୍ୟ ଓ ଆଦର୍ଶର ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହାକୁ ମଧ୍ୟ ଆହୁରି କ୍ରିୟାଶୀଳ ଓ ସମୟ ଉପଯୋଗୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ସଂଗଠନର କାର୍ଯ୍ୟକୁ ଆହୁରି ସଶକ୍ତ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ଓ ସମର୍ଥନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଣ୍ଟ ଜନ ଆମ୍ବୁଲାନ୍ସର ଅଧ୍ୟକ୍ଷ ନିରଞ୍ଜନ ପୁଜାରୀ ବର୍ତମାନର ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟ ପନ୍ଥା ସଂପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ଅବୈତନିକ ସଚିବ ନିଧି କୁମାର ରାଉତରାୟ ବିବରଣି ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଂଗ ସଂପର୍କରେ ବିଷଦ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଆସନ୍ତା ବର୍ଷର ବଜେଟ୍ ଅନୁମୋଦିତ ହୋଇଥିଲା।

ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଅଗ୍ନିଶମ ତଥା ହୋମଗାର୍ଡର ମହାନିର୍ଦ୍ଦେଶକ ତଥା ସେଣ୍ଟ ଜନ ଆମ୍ବୁଲାନ୍ସର ଉପାଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟପାଳଙ୍କ ପ୍ରମୁଖ ଉପଦେଷ୍ଟା ସନ୍ତୋଷ କୁମାର ଶତପଥିଙ୍କ ସମେତ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ତଥା ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Share This Article