ବିଜେଡି ଘୋଷଣା କଲା ମେଣ୍ଟ ନୁହେଁ ଏକା ଲଢିବ, କେତୋଟି ଆସନରେ ଜିତିବ ଦେଲା ହିସାବ

Odisha Hot News
2 Min Read

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇଛି ରାଜ୍ୟର ପାଣିପଗ ସେତିକି ଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଏ କେତେ ଆସନ ଜିତିବ ତାହାର ହିସାବ ନିକାସ ଚାଲିଛି। ତେବେ ଏଥିରେ ବିଜେଡି ଆସନ୍ତା ନିର୍ବାଚନରେ କେତେ ଆସନରେ ଜିତିବ ତାହାର ଆକଳନ କରିିଛି। ସେହି ଅନୁସାରେ ଦଳ ୨୧ଟି ଲୋକସଭା ଆସନରୁ ୧୭ ଟି ଆସନରେ ଜିତିବ ବୋଲି ଘୋଷଣା କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଲୋକେ ବିଜେଡି ସରକାରର ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ସମୟରେ ସସ୍ମିତ ଘୋଷଣା କରିଛନ୍ତି ଯେ, ଏଥର ବିଧାନସଭାରେ ବିଜେଡି  ୧୪୭ ମଧ୍ୟର ୧୨୦ଟି ଆସନରେ ବିଜୟ ଲାଭ କରିବ।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଏକାକୀ ଲଢେଇ କରିବ। ଯେଉଁ ମେଣ୍ଟ କଥା ବାରମ୍ବାର ଚର୍ଚ୍ଚା ହେଉଛି ସେଥିରେ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛି। ଅର୍ଥାତ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ଶେଷରେ ସମାପ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବିଜେଡି ଏହି ମେଣ୍ଟ ଚର୍ଚ୍ଚା ନେଇ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛି। କହିଛି ବିଜେପିର ସବୁ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବାକୁ ନେତା ନାହିଁନ୍ତି। ସେଥିପାଇଁ ସେମାନେ ବିଜେଡି ନେତାଙ୍କ ଉପରେ ଭରସା କରିଛନ୍ତି।

ବିଜେଡି ନେତା ସସ୍ମିତ ପାତ୍ର ସିଧା ଏହି ମେଣ୍ଟ ଚର୍ଚ୍ଚା ବିଜେପି କରୁଛି ବୋଲି ଜଣାଇ ଦେଇଛନ୍ତି। କାରଣ ତାଙ୍କ ପାଖରେ ନେତା ନାହିଁନ୍ତି, ତାଙ୍କର ଜିତିବାର ସମ୍ଭାବନା ନାହିଁ। ସେଥିପାଇଁ ମେଣ୍ଟ ଚର୍ଚ୍ଚା କରି ସେମାନେ ବିଜେଡି ଶକ୍ତିରେ ଶକ୍ତିଶାଳି ହେବେ ବୋଲି ଆଶା କରିଛନ୍ତି।

ଗତକିଛି ଦିନ ଧରି ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ ବୋଲି ବଡ ଚର୍ଚ୍ଚା ଚାଲିଛି। ଏ ନେଇ କୁଆଡେ ଦିଲ୍ଲୀ ବିଜେପିରେ ଆଲୋଚନା ଚାଲିଛି। ହେଲେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ଏହାକୁ ଖଣ୍ଡନ କରିଥିଲେ।

ବିଜେପି ଏକ ଲଢେଇ କରିବ ବୋଲି କହିଥିଲେ। ସେହିପରି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଥିଲେ। ଫଳରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Share This Article