ଓଡ଼ିଶାର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

Odisha Hot News
1 Min Read

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମକୁମାରୀମାନେ ଅହିଂସା, ଶାନ୍ତି, ସଦ୍ଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିରନ୍ତ ଓ ଭାରତୀୟ ମୂଲ୍ୟବୋଧକୁ ଭାରତ ତଥା ବିଦେଶରେ ପ୍ରସାର କରୁଛନ୍ତି। ବ୍ରହ୍ମକୁମାରୀଙ୍କ ଅନୁଷ୍ଠାନ ଯୋଗ ଓ ଧ୍ୟାନକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି ବୋଲି କହି ସେ ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି। ସେମାନେ ଭାବନ୍ତି ଯେ ସୁଖର ଅର୍ଥ କେବଳ ଭୌତିକ ସୁଖ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ଆମର ଭୌତିକ ଇଚ୍ଛାକୁ ସୀମିତ କରିବୁ ସେତେବେଳେ ହିଁ ଆମେ ପ୍ରକୃତ ସୁଖ ହାସଲ କରିପାରିବୁ।

ରାଷ୍ଟ୍ରପତି କହିଥିଲେ ଯେ ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି। ଶାନ୍ତି ବଜାୟ ରହିଲେ ହିଁ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜର ସାଂସାରିକ କର୍ତ୍ତବ୍ୟ ଛାଡିବାର ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ମିକ ଜୀବନଶୈଳୀ ଗ୍ରହଣ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନେ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବେ।

Share This Article