କିଏ ଏହି ଅନୂସୟା ମାଝୀ ? ବିଜେଡିର କୋରାପୁଟ ଲୋକସଭା ପ୍ରାର୍ଥୀ ପାଇଁ ଅଛନ୍ତି ଚର୍ଚ୍ଚାରେ

Odisha Hot News
2 Min Read

ଭୁବନେଶ୍ବର: ଆସନ୍ତା ଲୋକସଭା ନିର୍ବାଚନରେ ବର୍ତ୍ତମାନ କିଏ କେଉଁଠାରୁ ପ୍ରାର୍ଥୀ ହେବ ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ତେବେ ରାଜ୍ୟର 21 ଟି ଆସନ ମଧ୍ୟରୁ କଂଗ୍ରେସ ପାଇଁ ଏକୋଇର ବାଳା ବିଶିକେଶ ହେଉଛି କୋରାପୁଟ ଆସନ। କାରଣ କଂଗ୍ରେସର ଏକମାତ୍ର ସାଂସଦ ଭାବେ ସପ୍ତଗିରି ଉଲ୍ଲାକା କୋରାପୁଟରୁ ବିଜୟ ହୋଇଛନ୍ତି। ଏଥର ନିର୍ବାଚନରେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତାହାକୁ ହାତଛଡା ନ କରିବା ପାଇଁ ତୀକ୍ଷ୍ମ ନଜରରେ ରଖିଛନ୍ତି।

ଗତଥର ବିଜେଡି ଏହି ଆସନରୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇଥିଲା। ହେଲେ ସେ ଅଳ୍ପ ଭୋଟରେ କଂଗ୍ରେସର ସପ୍ତଗିରିଙ୍କଠାରୁ ହାରିଯାଇଥିଲେ। ସେତେବେଳେ ସପ୍ତଗିରି ନୂଆ କରି କଂଗ୍ରେସରେ ଯୋଗଦେଇ ସାଂସଦ ଟିକେଟ ହାତେଇଥିଲେ। କେହି କେବେ ଭାବି ନ ଥିଲେ ଯେ, ସେ କଂଗ୍ରେସରୁ ସେଠାରୁ ଜିତିବେ। ମାତ୍ର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ବର୍ତ୍ତମାନ ପୁଣି ଥରେ କୌଶଲ୍ୟା ସେଠାରୁ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ଅଳ୍ପ ଭୋଟରେ ହାରିଥିବାରୁ ଏଥର ସେ ପୁରା ଟକ୍କର ଦେବେ ବୋଲି ପ୍ରଚାର ଚାଲିଛି। ତେବେ ଏହା ଭିତରେ କୋରାପୁଟ ଆସନ ପାଇଁ ଆଉ ଜଣେ ମହିଳାଙ୍କ ଆର୍ବିଭାବ ହୋଇଯାଇଛି। ସେ ହେଉଛନ୍ତି ଅନୂସୟା ମାଝୀ। ତାଙ୍କ ପାଇଁ ଏକ ବଡ ଗୋଷ୍ଠୀ କୁଆଡେ ଲବି କରୁଛନ୍ତି ବୋଲି ଜଣାପଡିଛି।

ତେବେ ସେ ଅନୂସୟା ମାଝି କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେ ହେଉଛନ୍ତି ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ। ଯଦି କୌଣସି କାରଣରୁ ବିଜେଡି ନୂଆ ଚେହେରାକୁ ସାମନାଙ୍କୁ ଆଣିବାକୁ ଚାହେଁ ତେବେ ସେ ହେଉଛନ୍ତି ଅନୂସୟା ବୋଲି ଚର୍ଚ୍ଚା ଚାଲିଛି। ବିଜେଡି ସେଠାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିବାରୁ ଅନୂସୟା ଠିକ ହେବେ ବୋଲି କୁହାଯାଉଛି।

ଅନୂସୟା ହେଉଛନ୍ତି ଉଚ୍ଚ ଶିକ୍ଷିତା। ସେ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କର ବର୍ତ୍ତମାନ ଉଭୟ କଂଗ୍ରେସ ଓ ବିଜେଡିରେ ରହିଛି ପତିୟାରା। ବିଭିନ୍ନ ସଭାସମିତିରେ ଲୋକେ ଅନୂସୟାଙ୍କୁ ଅତିଥୀ ଭାବେ ନିମନ୍ତ୍ରଣ କରୁଛନ୍ତି। ହେଲେ ଅନ୍ୟପକ୍ଷରେ ମାଓବାଦୀ ଅପରହଣ ଘଟଣା ପରେ ଝିନ୍ନଙ୍କ ଉପରେ ନବୀନଙ୍କ ଦୁର୍ବଳତା ରହିଛି। ତେଣୁ କୌଶଲ୍ୟା ଏଥର ସପ୍ତଗିରିଙ୍କୁ ଟକ୍କର ଦେଇପାରିବେ ବୋଲି ତାଙ୍କର ସମର୍ଥକ ଦୃଢ ଦାବୀ କରୁଛନ୍ତି।

Share This Article