ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

Odisha Hot News
1 Min Read

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ସେ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ତାଙ୍କୁ ସାଂଗଠନିକ ସଂପାଦକ ପ୍ରଣବ ଦାସ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, ବିଧାୟକ ଧ୍ରବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଦଳକୁ ସ୍ବାଗତ କରି ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ ।

ଅଂଶୁମାନଙ୍କ ବାପା ନଳିନୀ ମହାନ୍ତି ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା। ସେ ୭ ଥର ବିଧାୟକ ଥିଲେ। ବିଜେଡି ଉପରେ ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।’

ବିଜେଡିରେ ସାମିଲ ହେବା ପରେ ଅଂଶୁମାନ କହିଛନ୍ତି, ‘ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲେ । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।’

ତେବେ ଅଂଶୁମାନ ଶଙ୍ଖ ଭବନ ଏକ ବିରାଟ ପଟୁଆର ମଧ୍ୟରେ ଆସିଥିଲେ। ତାଙ୍କର ଶହଶହ ସମର୍ଥକ ଗହଣରେ ଆସି ବିଜେଡିରେ ସାମିଲ ହୋଇଥିଲେ।

Share This Article