ଆଜି ମହାପ୍ରଭୃଙ୍କର ପଦ୍ମବେଶ, କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ

Odisha Hot News
2 Min Read

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୃଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଆଜି ବଡସିଂହାର ବେଶ ବେଳେ ମହାପ୍ରଭୃଙ୍କ ନିକଟରେ ଲାଗି ହେବ ପଦ୍ମଫୁଲ। ଯାହାକୁ ପଦ୍ମବେଶ ବୋଲି କୁହାଯାଇଥାଏ। ଏହି ବେଶ ପାଇଁ ବଡଛତା ମଠ ତରଫରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥାଏ। ତାହାକୁ ଦୟାଣମାଳି ସେବକମାନେ ଶ୍ରୀଜିୟୁଙ୍କୁ ପଦ୍ମବେଶ କରିଥାନ୍ତି।

ତେବେ ଆଜି ରାତିରେ ଏହି ବେଶ ହେବ। ମହାପ୍ରଭୃଙ୍କ ପହଡ ପୂର୍ବରୁ ଏହି ବେଶ କରାଯାଇ ତିନିଠାକୁର ବିଶ୍ରାମ କରିବେ। ଆସନ୍ତାକାଲି ଅବକାଶ ନିତି ପର୍ଯ୍ୟନ୍ତ ଏହି ବେଶ ରହିବ। ଫଳରେ ଭକ୍ତମାନେ ଆସନ୍ତାକାଲି ଭୋରରୁ ଏହି ବେଶକୁ ଦର୍ଶନ କରିବେ। ପ୍ରତିବର୍ଷ ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ମଧ୍ୟରେ କୌଣସି ବୁଧବାର କିମ୍ବା ଶନିବାରରେ ଏହି ବେଶ କରାଯାଇଥାଏ।

ତେବେ ଏହି ବେଶ ପଛରେ ରହିଛି ଏକ କିମ୍ବଦନ୍ତୀ। କୁହାଯାଏ ଉତ୍କଳ ପ୍ରଦେଶରୁ ଶହଶହ ମାଇଲ ଦୂରରୁ ଜଣେ ହିନ୍ଦି ଭାଷୀ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ତାଙ୍କ ନାମ ହେଲା ମନୋହର ଦାସ। ସେ ଚାଲିଚାଲି ଆସୁଥିବାରୁ ବେଶ କଷ୍ଟ ଅନୁଭବ କରୁଥିଲେ। ରାସ୍ତାରେ ତାଙ୍କୁ ଭାରି ଶୋଷ ହେବାରୁ ପାଖରେ ଜଳ ପାଇବା ପାଇଁ ଡହଳବିକଳ ହେଲେ।

ହେଲେ ନିକଟରେ କୌଣସି ଜଳ ନ ମିଳିବାରୁ ସେ ତଳେ ପଡିଗଲେ। କିଛି ସମୟ ପରେ ସେ ଉଠିବା ପରେ ପାଖରେ ଏକ ପଦ୍ମ ପୋଖରୀ ଥିବାର ଦେଖିବାକୁ ପାଇଲେ। ଆଗ୍ରହରେ ସେ ସେଠାରୁ ପରିସ୍କାର ଜଳ ସେବନ କଲେ। ପୋଖରୀରେ ପଦ୍ମ ଫୁଲ ଦେଖି ସେ ଠାକୁରଙ୍କୁ ଦେବା ପାଇଁ ଇଚ୍ଛା କଲେ। କାନ୍ଧରେ ଥିବା ଏକ ମଇଳା ଗାମୁଛାରେ ତାହା ବାନ୍ଧି ଠାକୁରଙ୍କ ପାଇଁ ଆଣିଲେ।

ସେ ଶ୍ରୀଜିୟୁଙ୍କ ଦର୍ଶନ କରିବା ସହିତ ସେହି ଫୁଲକୁ ଲାଗି କରିବା ପାଇଁ ସେବକଙ୍କୁ ଅନୁରୋଧ କଲେ। ହେଲେ ସେବକମାନେ ଏକ ମଇଳା ଗାମୁଛାରେ ବନ୍ଧା ହୋଇଥିବା ମଉଳା ଫୁଲ ଲାଗି କରିବାକୁ ମନା କରିଦେଲେ। ଫଳରେ ମନୋହର ମନଦୁଃଖରେ ଫୁଳ ଧରି ମନ୍ଦିର ବାହାରକୁ ଆସି ବଡଛତା ମଠରେ ମନ ଦୁଃଖରେ ଶୋଇପଡିଲେ।

ରାତିରେ ଗଜପତିଙ୍କୁ ସ୍ବପ୍ନାଦେଶ ହେଲା ଯେ, ମନୋହରଠାରୁ ଫୁଲ ଆଣି ତାଙ୍କର ବଡସିଂହାର ବେଶରେ ଲାଗି କର। ମୋର ଭକ୍ତଙ୍କୁ ଅଭଡା ଖିରି ଦେଇ ତାହାର ମନ ସନ୍ତୁଷ୍ଠ କର। ସ୍ବପ୍ନାଦେଶ ପରେ ଗଜପତି ନିର୍ଦ୍ଦେଶ ଦେଲେ ସେହି ଫୁଲକୁ ଲାଗି କରିବା ପାଇଁ। ସେହି ସମୟ ଥିଲା ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ଭିତରେ। ସେହିଦିନଠାରୁ ଶ୍ରୀଜିୟୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇ ଆସୁଛି।

Share This Article