ବିଜେଡିରେ ଯୋଗଦେଲେ ବାଲେଶ୍ବରର ବହୁ କଂଗ୍ରେସ ନେତା

Odisha Hot News
2 Min Read

ଭୁବନେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବ କୁମାର ଦେ ଆଜି ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍‌ ହୋଇଥିବା ଶ୍ରୀ ଦେଙ୍କୁ ଉପଢୌକନ ଦେଇ ଶ୍ରୀ ଦେବ ଓ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ଦେବ କୁମାର ଦେଙ୍କ ଯୋଗଦାନ ଫଳରେ ବିଶେଷ କରି ବାଲିଆପାଳ ବ୍ଲକ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଓ ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସ ନେତା ଦେବ କୁମାର ଦେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘ ଦିନ ଧରି କଂଗ୍ରେସରେ ଥିଲିା କଂଗ୍ରେସର କାର୍ଯ୍ୟଶୈଳୀ ଓ ନୀତି ନୈତିକତାରେ ଅତିଷ୍ଠ ହୋଇ ପଡ଼ିଥିଲି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ଆଗାମୀ ଦିନରେ ବାଲିଆପାଳ ବ୍ଲକରେ ବିଜେଡ଼ି ସଂଗଠନ କିପରି ସୁଦୃଢ଼ ହେବ ସେ ନେଇ କାର୍ଯ୍ୟ କରିବା ସହ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ନେପୂରା ବୋର୍ଡ଼ ସେବା ସମବାୟ ସମିତିର ଡାଇରେକ୍ଟର ତଥା ବରିଷ୍ଠ କଂଗ୍ରେସ ନେତା ଝାଡ଼େଶ୍ୱର ବେହେରା, ନିତ୍ୟାନନ୍ଦ ପାତ୍ର, ଶ୍ରୀ ରାମପୁର ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦେ, ଗଙ୍ଗାଧର ପାତ୍ର, ଗୌରମୋହନ ଜେନା, ଗଦାଧର ଜେନା, ମିହିର ମିଶ୍ର, ବୈକୁଣ୍ଠ ବିଶ୍ୱା, ରଘୁନାଥ ବିଶ୍ୱାଳଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା,ରାଜ୍ୟ ସମ୍ପାଦକ ତଥା ବାଲେଶ୍ୱର ଓ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ରଞ୍ଜିତ ମହାପାତ୍ର ଏବଂ ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବରେ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article