ଭୁବନେଶ୍ବରସ୍ଥିତ ଡିଏଭି କଳିଙ୍ଗନଗରର ବାର୍ଷିକ ଉତ୍ସବ “ପାଞ୍ଚଜନ୍ୟ” ଅନୁଷ୍ଠିତ

Odisha Hot News
2 Min Read

ଭୁବନେଶ୍ୱର: ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ ‘“ପାଞ୍ଚଜନ୍ୟ’ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ତମ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କର ସାମୁହିକ ବିକାଶ ଓ ସମାଜ କଲ୍ୟାଣ କ୍ଷେତ୍ରରେ ଡିଏଭି ବିଦ୍ୟାଳୟସମୂହର ଅବଦାନ ସର୍ବଦା ଉଲ୍ଲେଖନୀୟ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ମଦନ ମୋହନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାଗତ ଅଭିଭାଷଣରେ ଏକବିଂଶ ଶତାବ୍ଦୀର ଜାତୀୟ ଶିକ୍ଷାନୀତି ଆଧାରରେ ନୂତନ ପାଠ୍ୟଦାନ କୌଶଳର ଭୁରିଭୁରି ପ୍ରଶଂସା କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଡିଏଭି ଆଞ୍ଚଳିକ ଜୋନ୍‌-‘ସି’ର ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ, ଡିଏଭି ଆଞ୍ଚଳିକ ଜୋନ୍ – ‘ଇ’ର ସହ ନିର୍ଦ୍ଦେଶିକା ଓ ଡିଏଭି ୟୁନିଟ୍ – ୮ର ଅଧ୍ୟକ୍ଷା ତଥା ବିଦ୍ୟାଳୟର ମ୍ୟାନେଜର ଈପ୍ସିତା ଦାସ, ଶିକ୍ଷାବିତ୍ ଡ. ଭାଗ୍ୟବତୀ ନାୟକ ଏବଂ ବିଭିନ୍ନ ଡିଏଭିର ଅଧ୍ୟକ୍ଷଅଧ୍ୟକ୍ଷା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଚଳିତ ଶିକ୍ଷାବର୍ଷର ଦ୍ୱାଦଶ ଶ୍ରେଣୀ ନିମନ୍ତେ ସ୍ନେହାଂଶୁ ଶୁଭ୍ରା ଓ ଦଶମ ଶ୍ରେଣୀ ନିମନ୍ତେ ପାୟୋଶ୍ନୀ ମିଶ୍ରଙ୍କୁ ବିଦ୍ୟାଳୟର ବେଷ୍ଟ ଅଲରାଉଣ୍ଡର ଭାବେ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ଚିତ୍ରକାର ଭାବେ ଦିବ୍ୟାଙ୍କିତା ଦାସଙ୍କୁ ନରେନ୍ଦ୍ର ଗିରି ସ୍ମାରକୀ ପୁରସ୍କାର, ଜାତୀୟ ସ୍ତରୀୟ ଜିଜ୍ଞାସା କୁଇଜ୍ ପ୍ରତିଯୋଗିତାର ବିଜୟିନୀ ଭାବେ ଛାତ୍ରୀ ଆଭା ପ୍ରିୟଦର୍ଶିନୀ ଓ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ଛାତ୍ରୀ ଶ୍ରୀଲଗ୍ନା ପତିଙ୍କୁ ମେଧାବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଛାତ୍ର ପ୍ରିୟାଂଶୁ ପଣ୍ଡାଙ୍କ ପିତାମାତାଙ୍କୁ ‘ପ୍ୟାରେଣ୍ଟସ୍ ଅଫ୍ ଦ ଇୟର’ ପୁରସ୍କାର ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ନିମନ୍ତେ ଆୟୋଜିତ କ୍ରିକେଟ୍ ଏବଂ ଝୋଟି ପ୍ରତିଯୋଗିତାରେ ବିଜୟୀ ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ୭୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କରତାଳିରେ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

Share This Article