ଭୁବନେଶ୍ବରର ପ୍ରାର୍ଥୀ ବୋଲି ଘୋଷଣା କରି ଶ୍ରୀମୟୀଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

Odisha Hot News
2 Min Read

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଆୟୋଜିତ ଜନସଂପର୍କ ପଦ ଯାତ୍ରାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା। କାରଣ ସେ ଏକ ଜନସମାବେଶକୁ ଉଦବୋଧନ ଦେବା ବେଳେ ଶ୍ରୀମୟୀ ହେଉଛନ୍ତି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା କରିଦେଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ କର୍ମୀମାନେ ତାଳି ବାଡେଇ ସ୍ବାଗତ କଲେ ସତ ହେଲେ ଅଡୁଆର ପଡିଗଲେ ଶ୍ରୀମୟୀ।

ଅଶୋକ ପଣ୍ଡା କହିଥିଲେ ଯେ, ଆପଣମାନଙ୍କ ପାଖରେ ଯେ ଛିଡା ହୋଇଛନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିବେ ବୋଲି ନିଷ୍ପତି କରିଛନ୍ତି। ତାଙ୍କ ନିଷ୍ପତିକୁ ଆମେ ସ୍ବାଗତ କରିବା କି ନାହିଁ ? ଏପରି କହି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ପୁଣି ଅଶୋକ କହିଥିଲେ ଯେ, ତାଙ୍କୁ ଜିତାଇବା କି ନାହିଁ ? ସମସ୍ତେ ହଁ କରି ଥିଲେ। ଶେଷରେ ଶ୍ରୀମୟୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆର୍ଶିବାଦ ଭିକ୍ଷା କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ମନ୍ତ୍ରୀ ଅଶୋକ ପଣ୍ଡା ସର୍ବସାଧାରଣରେ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ବୋଲି କିପରି ଘୋଷଣା କଲେ। ଅଶୋକ ପଣ୍ଡା ଜଣେ ପୁରୁଣା ନେତା। ସେ ଜାଣନ୍ତି ବିଜେଡିର ଟିକେଟ କେବଳ ନବୀନ ପଟ୍ଟନାୟକ ଘୋଷଣା କରନ୍ତି ବା ଦଳ ଘୋଷଣା କରେ। ହେଲେ ସେ କିପରି ଘୋଷଣା କରିବେ ବୋଲି ନିଜକୁ ପ୍ରଶ୍ନ ପଚାରିବାର ଥିଲା। ଏପରି ଅନୁଭବି ନେତା ଶ୍ରୀମୟୀଙ୍କ ଉପରେ ବେଶୀ ଖୁସି ହୋଇପଡି ଏପରି କରିଛନ୍ତି କି ବୋଲି ପ୍ରଶ୍ନ ଉଠୁଛି।

ତେବେ ଏହି ଘଟଣାକୁ ନେଇ ନବୀନ ନିବାସ ବେଶ ଗୁରୁତର ସହ ନେଇଛି। କାରଣ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ଦଳୀୟ ବୈଠକରେ ଗୋଟିଏ କଥା କହନ୍ତି। ତାହା ହେଲା ଯେ, ବିଜେଡିରେ କେବଳ ଗୋଟିଏ ଟିକେଟ ନିର୍ଦ୍ଧାରିତ ହୋଇଛି। ସେହି ଟିକେଟଟି ହେଉଛି ନବୀନ ପଟ୍ଟନାୟକଙ୍କର। ତାଙ୍କୁ ଛାଡି ଦେଲେ ଆଉ କାହାର ଟିକେଟ ନିଶ୍ଚିତ ନାହିଁ।

ଏପରି ପରିସ୍ଥିତିରେ ଅଶୋକ ପଣ୍ଡାଙ୍କ ଏହି ଘୋଷଣା ଦଳ ପାଇଁ ଏକ ଅପମାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ଦଳ ଶ୍ରୀମୟୀଙ୍କୁ ଭୁବନେଶ୍ବରରୁ ଛିଡା କରିବ କି ନାହିଁ ତାହା ସନ୍ଦେହରେ ଥିଲା। କାରଣ ଅପରାଜିତାଙ୍କ ସହିତ ସେ ଲଢେଇ କରିପାରିବେ କି ନାହିଁ ଦଳର ଉଚ୍ଚ ନେତୃତ୍ବ ଚିନ୍ତାରେ ଥିଲେ। ହେଲେ ବର୍ତ୍ତମାନ ଯାହା ପରିସ୍ଥିତି ଶ୍ରୀମୟୀଙ୍କ ଭୁବନେଶ୍ବରରେ ପ୍ରାର୍ଥୀ ହେବାରେ ବିରାମ ଲାଗିପାରେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Share This Article