ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ତଥା କିଛି ସମାଜସେବି

Odisha Hot News
2 Min Read

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି ସେଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ବେହୁରା କଂଗ୍ରେସ ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ବେହୁରାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ମନୋଜ କୁମାର ପତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ। କେନ୍ଦ୍ରାପଡା ପାଟକୁରାର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମନୀଷା ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ଅନ୍ୟ ଦଳମାନଙ୍କ ଅପେକ୍ଷା ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି। ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ କରିବା ସହ ଦଳର ମୁଠାକୁ ସଶକ୍ତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀମତୀ ମନୀଷା ପଣ୍ଡା କହିଛନ୍ତି।

ଶ୍ରୀ ବେହୁରା, ଶ୍ରୀ ପତି ଓ ଶ୍ରୀମତୀ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Share This Article