ନକଲି ଘିଅ କାରଖାନା ଜବତ, ଜଣେ ଗିରଫ ଓ ଆଉ ଜଣେ ଚମ୍ପଟ୍

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ମଦନମୋହନ ନଗର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରି ପରିମାଣର ନକଲି ଘିଅ, ପାମୋଲିନ୍ ତେଲ, ବ୍ୟବହୃତ ରାସାୟନିକ ଦ୍ରବ୍ୟ, ଡବା, ଜରି ଓ ପେକିଂ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଇତ୍ୟାଦି ଜବତ କରାଯାଇଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ବଡ଼ବଜାର ଥାନା ଅଧିକାରୀ ସୌଭାଗ୍ୟ ସ୍ଵାଇଁଙ୍କ ଟିମ୍ ଏହି ଚଢ଼ାଉ କରିଥିଲା। ଏହାସହ ବ୍ୟବସାୟୀ ଇ ରାଜେଶ୍ଵର ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏହି କାରଖାନାର ମୁଖ୍ୟ ମାଲିକ ତଥା ରାଜେଶ୍ଵର ପାତ୍ରଙ୍କ ଭାଇ କୋଟେଶ୍ଵର ପାତ୍ର ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ପ୍ରକାଶ ଥାଉକି ଗିରଫ ରାଜେଶ୍ଵର ପୁର୍ବରୁ ନକଲି ଗୁଟଖା ପ୍ରସ୍ତୁତି କାରବାରରେ ଗିରଫ ହୋଇଥିବା ଜଣାପଡିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ନକଲି ଗୁଟଖା, ସାବୁନ, ଚାହା ଗୁଣ୍ଡ, ଇତ୍ୟାଦି ପ୍ରସ୍ତୁତିର ପ୍ରମାଣ ରହିଛି। ବର୍ତ୍ତମାନ ଏହି ନକଲି ଘିଅ କାରଖାନା ବିଷୟରେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ବଡ଼ବଜାର ଥାନା କୁ ନିର୍ଦ୍ଦେଶ ଦେବା ପରେ ବଡ଼ବଜାର ଥାନା ପୋଲିସ ୪୪୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article