ରାୟଗଡାରେ ଦୁଇଟି ବାଘ ଚମଡା ଜବତ କଲା ଏସଟିଏଫ, ଦୁଇ ଗିରଫ

Odisha Hot News
1 Min Read

ଭୁବନେଶ୍ବର: ଏସଟିଏଫ ଏକ ବଡ ଚଢାଉ କରି ଗତକାଲି ଦୁଇଟି ଚିତା ବାଘର ଚମଡା ଜବତ କରିଛି। ଏଥିସହିତ କେତେକ ଉପକରଣ ମଧ୍ୟ ଜବତ ହୋଇଛି। ଏହି ବାଘ ଚମଡା ବିକ୍ରି କରିବା ପାଇଁ ଯାଉଥିବା ବେଳେ ଏସଟିଏଫ ଚଢାଉ କରିଥିଲା। ଦୁଇଜଣ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, କେତେକ ବ୍ୟକ୍ତି ବିରଳ ପଶୁଙ୍କ ଅଙ୍ଗ ବିକ୍ରି କରିବାକୁ ଯୋଜନା କରୁଛନ୍ତି ବୋଲି ଏସଟିଏଫ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା। ସେହି ଅନୁସାରେ ଏକ ଟିମ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଟମ୍ଫରାବିଦୁନି ଛକରେ ଜଗି ରହିଥିଲା।

ଦୁଇଜଣ ବ୍ୟକ୍ତି ଆସିବା ପରେ ଏସଟିଏଫ ସେମାନଙ୍କୁ ଧରି ତାଙ୍କଠାରୁ ଦୁଇଟି ବାଘ ଚମଡା ଜବତ କରିଥିଲା। ସେମାନଙ୍କୁ ପଚାରାଉଚୁରା କରିବା ବେଳେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବିକ୍ରମ ମାଝି ଏବଂ ରାଜା ମାଝି। ଏ ନେଇ ଅଧିକ ଅନୁସନ୍ଧାନ ଜାରୀ ରହିଛି।

ଚମଡା ଦୁଇଟି ଡେରାଡୁନରେ ଥିବା ୱାଲଡି ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପରୀକ୍ଷା ପାଇଁ ପଠାଯାଇଛି।

Share This Article