ଅବକାରୀ ବିଭାଗର କଡା କାର୍ଯ୍ୟାନୁଷ୍ଠାନ: ଦୁର୍ନୀତିଗ୍ରସ୍ତ ଏଏସ୍ଆଇଙ୍କୁ ଚାକିରିରୁ ବିଦାକଲେ କମିଶନର

Odisha Hot News
1 Min Read

ଭୁବନେଶ୍ୱର: ଅବକାରୀ କମିଶନର ନରସିଂହ ଭୋଳ ବେଆଇନ ମଦ କାରବାରରୁ ଲାଞ୍ଚ ନେଇ ଦୁର୍ନୀତି କରିଥିବା ଅଭିଯୋଗରେ କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା। ଆଇଟି ଆପ୍ଲିକେସନ୍ ମାଧ୍ୟମରେ ତଦନ୍ତରୁ ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା।

ଏହା ପୂର୍ବରୁ ମଧ୍ୟ ଗୋଟିଏ ବିଦେଶୀ ମଦ ଦୋକାନରେ ମଦ ବେପାରୀଙ୍କ ସହ ମଦ ପିଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଜାରି ରହିଛି। ପୂର୍ବରୁ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ତାଙ୍କ ବାପାଙ୍କୁ କଟକ ଇଆଇ ଓ ଇବି ୟୁନିଟ୍-୧ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲେ।

ପୋଷାକରେ ରହି ବେଆଇନ ମଦ କାରବାର ରୋକିବା ଦିଗରେ ସେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ବେଆଇନ ମଦ ବେପାରୀମାନଙ୍କୁ ସୁରକ୍ଷା ଦେବା ଏବଂ ମଦ ମାଫିଆଙ୍କ ସହ ହାତ ମିଳାଇ ଥିବାର ଯଥେଷ୍ଟ ପ୍ରମାଣ ରହିଛି। ସେ କେବଳ ନିଜକୁ ଅପମାନିତ କରିନାହାନ୍ତି, ବରଂ ତାଙ୍କ କାର‌୍ୟ୍ୟ ଅବକାରୀ ବିଭାଗର ସ୍ୱାର୍ଥ ବିରୋଧୀ। ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ମିଳାମିଶା ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ନୀତି ବିରୁଦ୍ଧ ଓ ଅଗ୍ରହଣୀୟ । ତେଣୁ ଭାରତୀୟ ସମ୍ବିଧାନର ନିୟମ ୩୧୧(୨) (ଖ) ଅନୁଯାୟୀ ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପାଞ୍ଚ ମାସ ମଧ୍ୟରେ ୫ ଜଣ ଅବକାରୀ କର୍ମଚାରୀଙ୍କୁ ସେମାନଙ୍କ ବେଆଇନ କାର‌୍ୟ୍ୟପାଇଁ ବହିଷ୍କାର କରାଯାଇଛି। ଅବକାରୀ ବିଭାଗର ସଚ୍ଚୋଟତା ଓ ଦକ୍ଷତା ରେ ଉନ୍ନତି ଆଣିବା ପାଇଁ ଅବକାରୀ ବିଭାଗର ଦୁର୍ନୀତିଗ୍ରସ୍ତ/ ଅପାରଗ ସଦସ୍ୟଙ୍କୁ ବହିଷ୍କାର/ହଟାଇବା ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ।

Share This Article