ଛତିଶଗଡରେ କଂଗ୍ରେସ ସରକାରକୁ ବଦନାମ କରିବା ପାଇଁ କେନ୍ଦ୍ରର ଷଢଯନ୍ତ୍ର: ପ୍ରଦେଶ କଂଗ୍ରେସ

Odisha Hot News
4 Min Read

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ମହାଦେବ୍ ବେଟିଂ ଆପ ସନ୍ଦର୍ଭରେ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଇଡିର ନୋଟିସ୍ ଜାରିକରିବାକୁ ନେଇ ମୋଦି, ଶାହା ଓ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଥିଲେ।

ସେ ଆହ୍ୱାନ ଦେଇ କହିଥିଲେ ଯେ ତଥାକଥିତ ସାଧୁ ମୋଦି ଓ ସନ୍ଥ ଶାହାଙ୍କର ଯଦି ସତସାହସ ଅଛି ତେବେ ମହାଦେବ ଅନଲାଇନ୍ ବେଟିଂ ଆପକୁ ତୁରନ୍ତ ସମଗ୍ର ଦେଶରେ ବ୍ୟାନ କରାଯାଉ ଏବଂ ଏହାର ମୁଖ୍ୟ କିଙ୍ଗପିନ୍ ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକରକୁ ଗିରଫ କରାଯାଉ। ଯଦିଓ ମହାଦେବ ଆପ୍ ସାର୍ବଜନୀନ ଏବଂ ସାରା ଦେଶରେ ପରିଚାଳିତ ହେଉଛି, ଛତିଶଗଡ଼ ହେଉଛି ପ୍ରଥମ ରାଜ୍ୟ ଯିଏ ମହାଦେବ ଆପ୍ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ କରିଛି।

ଛତିଶଗଡ଼ ପୋଲିସ ୪୫୦ ଜଣଙ୍କୁ ଗିରଫ କରିବା ସହ ୧୯୧ଟି ଲାପଟପ, ୮୬୫ ଟି ମୋବାଇଲ,୧.୫ କୋଟିରୁ ଅଧିକ ମୂଲ୍ୟର ସମ୍ପତି, ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ୧୬ କୋଟି ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି।

ପ୍ରଥମ ମାମଲା ୩୦.୩.୨୦୨୨ରେ ରୁଜୁ ହୋଇଥିଲା। ଛତିିଶଗଡ଼ ପୁଲିସ ମଧ୍ୟପ୍ରଦେଶ, ଓଡ଼ିଶା, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ଚଢ଼ଉ କରି ଅନେକଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ମହାଦେବ ଆପ ପାଇଁ ଛତିଶଗଡ଼ରେ କୌଣସି ଶାଖା କିମ୍ବା ଅପରେସନ୍ ବେସ୍ ନାହିଁ। ଆପର ମାଷ୍ଟରମାଇଣ୍ଡ ଓ କିଙ୍ଗିପନ୍ ରବି ଉପ୍ପଲ ଓ ସୌରକ ଚନ୍ଦ୍ରାକର ଦୁବାଇରୁ ଆପ୍ ପରିଚାଳନା କରୁଥିବା ଜଣାପଡ଼ିବା ପରେ ଛତିଶଗଡ଼ ପୋଲିସ ୨୦୨୩ ଜୁଲାଇରେ ଲୁକ୍ ଆଉଟ ନୋଟିସ ଜାରି କରିଥିଲା।

ମହାଦେବ ଆପକୁ ଛତିଶଗଡ଼ରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହିତ ସମଗ୍ର ଦେଶରେ ଏହାର ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ଏବଂ ଏହାର ସମ୍ପ୍ରସାରଣ ରୋକିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏସବୁ ସତ୍ୱେ ଏହି ଆପ ଏବେ ବି କାର୍ଯ୍ୟକ୍ଷମ ରହିଛି।

ମୋଦି-ଶାହା-ସିତାରାମନଙ୍କ ଆର୍ଥିକ ମାଷ୍ଟରକ୍ଲାସ ଭାରତରେ ସମସ୍ତ ଅନ୍‌ଲାଇନ ଜୁଆଖେଳକୁ ବୈଧ କରିବା ପାଇଁ ନିଷ୍ପତି ନେଲେ ଏବଂ ଏହି ଅସାଧୁ କାର୍ଯ୍ୟକଳାପ ଉପରେ ୨୮% ଜିଏସ୍ଟି ଲାଗୁ କଲେ। କଥିତ ଅପରାଧୀ ମହାଦେବ ଆପର ପରିଚାଳନାଗତ ସ୍ଥିତିକୁ ଦେଖିଲେ, ଆମର ବିଶ୍ୱାସ ଯେହେତୁ ବିଜେପିକୁ ମହାଦେବ ଆପ୍ ଦ୍ୱାରା ପାଣ୍ଠି ପ୍ରଦାନ କରାଯାଇଛି ତେଣୁ ସେ ମୁକ୍ତ ଭାବରେ ତା’ର ଅନୈତିକ କାର୍ଯ୍ୟ ଜାରିରଖିଛି। ଦଳକୁ ପାଣ୍ଠି ଯୋଗାଣ ବନ୍ଦ ହୋଇଯିବା ଆଶଙ୍କାରେ ବିଜେପି କିଙ୍ଗିପନ୍‌କୁ ଗିରଫ କରିବାକୁ ପଛଘୁଂଚା ଦେଉଛି।

ଶ୍ରୀକାନୁନ୍‌ଗୋ ବିଜେପିକୁ ତିନୋଟି ପ୍ରଶ୍ନ କରିଛନ୍ତି।

(୧) ବିଜେପି କାହିଁକି ଅନ୍‌ଲାଇନ୍ ଜୁଆଖେଳ ଉପରେ ୨୮ % ଜିଏସ୍‌ଟି ଲଗେଇ ତାକୁ ବୈଧତା ପ୍ରଦାନ କରିଛି?

(୨) ମହାଦେବ ବେଟିଂ ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ଦୁବାଇରୁ କାହିଁକି ଗିରଫ କରାଯାଇ ନାହିଁ।

(୩) ମହାଦେବ ବେଟିଂ ଆପ୍‌କୁ କେନ୍ଦ୍ର ସରକାର ବର୍ତମାନ ସୁଧା ସମଗ୍ର ଦେଶରେ କାହିଁକି ନିଷେଧ କରିନାହାନ୍ତି।

ଏ ସମସ୍ତ ପ୍ରକ୍ରିୟାକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଛତିଶଗଡ଼ ରାଜ୍ୟ ନିର୍ବାଚନରେ ନିଜର ପରାଜୟକୁ ନେଇ ଭିତତ୍ରସ୍ତ ବିଜେପି କଂଗ୍ରେସ ସରକାରକୁ ବଦନାମ କରିବା ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରିବା ପାଇଁ ଇଡ଼ିର ସହାୟତା ନେଉଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ରାଜନୈତିକ ପରାମର୍ଶଦାତା ଏବଂ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ କୋର୍ଟରେ ଯେଉଁ ଚାର୍ଜସିଟ୍ ଦାଖଲ କଲା ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଏହି ସମସ୍ତ ଲୋକଙ୍କ ଠାରୁ କୌଣସି ଆପତ୍ତିଜନକ ପ୍ରମାଣ ମିଳି ନାହିଁ।

ମୁଖପାତ୍ର ଶ୍ରୀପ୍ରଶାନ୍ତ ଶତପଥି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରତ୍ୟେକ ଦିନ କ୍ରିପ୍‌ଟୋ କରେ୍‌ନ୍ସିର ନିବେଶକମାନେ ଶହ ଶହ କୋଟି ଟଙ୍କା ଠକାମିର ଶିକାର ହେଉଥିବାବେଳେ ମୋଦୀ ସରକାର ତା’ ଉପରେ ଇନ୍‌କମ୍ ଟ୍ୟାକ୍ସ ଆଦାୟ କରିବାକୁ ନିଷ୍ପତି ନେଇ ତାକୁ ମଧ୍ୟ ବୈଧତା ପ୍ରଦାନ କରିଦେଲେ। ଭର୍ଚୁଆଲ୍ ଡିଜିଟାଲ ଆସେଟ୍ ନାମରେ କ୍ରିପ୍‌ଟୋ କରେ୍‌ନ୍ସି ଉପରେ ଇନ୍‌କମ୍ ଟ୍ୟାକ୍ସ ଆଦାୟ କରାଯାଉଛି।

ସେ ଅନ୍‌ଲାଇନ୍ ଜୁଆଖେଳ ହେଉ ଅବା କ୍ରିପ୍‌ଟୋ କରେ୍‌ନ୍ସି ଯେଉଁଥିରେ ସାଧାରଣ ଲୋକ ହଜାର ହଜାର କୋଟି ଟଙ୍କା ଠକେଇର ଶିକାର ହୂୁଅନ୍ତି ତାକୁ ବୈଧତା ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ? ମୋଦୀ ଶାସନ କ୍ଷମତାକୁ ଆସିବା ପରଠାରୁ ଆଜିପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ୱ କେସ୍ ଇଡ଼ି ଫାଇଲ କରିଛି। ଯେଉଁଥିରେ ହଜାରରୁ ଅଧିକ ଗିରଫଦାରି ମଧ୍ୟ ହୋଇଛି। କିନ୍ତୁ ଶୁଣାଣି ଏବଂ ସଜା ହୋଇଛି ମାତ୍ର ୨୪ ଟି କେସ୍‌ରେ।

ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧିଦଳ ନେତାଙ୍କୁ ହଇରାଣ କରିବା ପାଇଁ ଇଡ଼ିକୁ ବିଜେପି ତା’ର ମୁଖ୍ୟ ଅସ୍ତ୍ରରୁପେ ବ୍ୟବହାର କରୁଛି। ଅନ୍ୟତମ ମୁଖପାତ୍ର ଶ୍ରୀ ଅମୀୟ ପାଣ୍ଡବ ବିଜେପିକୁ ଆହ୍ୱାନ ଦେଇ କହିଥିଲେ ଯେ ଯଦି ସତ୍‌ସାହାସ ଅଛି ତେବେ ଦେଶରେ ତୁରନ୍ତ ଅନ୍‌ଲାଇନ୍ ବେଟିଂ ଆପ୍‌କୁ ବ୍ୟାନ କରିବା ସହିତ ମହାଦେବ ବେଟିଂ ଆପ୍‌ର ମୁଖ୍ୟ କାର୍ପେଟ୍‌ଦାର୍‌କୁ ଦୁବାଇରୁ ଗିରଫ କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ରଜନୀ ମହାନ୍ତି ଉପସ୍ଥିତ ଥିଲେ।

Share This Article