ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଭଳି କାର୍ଯ୍ୟକ୍ରମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ସୃଷ୍ଟି ସହ ସେମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେବ। ଏପରି ଅବସର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୃଜନଶୀଳ କ୍ରିୟାଶୀଳତାର ଉନ୍ମେଷ ଓ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ସଂସ୍କୃତି ଦର୍ପଣ’ ଉନ୍ମୋଚିତ ହୋଇଥିଲା।

ଏହି ଦୁଇଦିନିଆ ବାର୍ଷିକ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ଆସନ୍ତାକାଲି ପରିଷଦର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ଶ୍ରୀ ହରେନ୍‌ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହେବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀ ମାଥିଆସ୍‌ ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଶ୍ରୀ ମୃତୁ୍ୟଞ୍ଜୟ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।

Share This Article