ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ ସମ୍ପର୍କିତ କର୍ମଶାଳା

Odisha Hot News
1 Min Read

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ନଅ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ମିଶନ ଲାଇଫ ସମ୍ପର୍କୀତ କର୍ମଶାଳା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

କର୍ମଶାଳା ବ୍ୟତୀତ ଦୁଇଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଭାରତ ସରକାରଙ୍କ ୯ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମିଶନ ଲାଇଫ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି। ସମ୍ମାନୀତ ଅତିଥିଭାବେ ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ବକ୍ତାଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ କର, ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧୁଷୁରୀ ପଞ୍ଚାୟତର ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣକାରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମର ପୂର୍ବଦିନ ଅନୁଷ୍ଠିତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପୀ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବାବେଳେ ସହଯୋଗୀ ଖଗେଶ ବାଇପାଇ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article