ଆରଆଇଇ ଭୁବନେଶ୍ୱର ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ

Odisha Hot News
2 Min Read

ଭୁବନେଶ୍ଵର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍‌ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ବୃତ୍ତି ଓ ଉଦ୍ୟୋଗ ବିଷୟରେ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସାବ୍ୟସ୍ତ ହୋଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି କଳା ଓ ବାଣିଜ୍ୟ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ୟାରିୟର ସମ୍ବନ୍ଧୀୟ ମାର୍ଗ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ସମ୍ମାନିତ ମୁଖ୍ୟ ଅତିଥି ଆର୍‌ଆଇଇ ପ୍ରିନ୍ସିପାଲ୍ ପ୍ରଫେସର ପି. ସି. ଅଗ୍ରୱାଲ, ବିଶେଷ ଅତିଥି ଭୁବନେଶ୍ୱର କେଭି ସଂଗଠନ ଆରଓର ଡେପୁଟି କମିଶନର ଡଃ  ଶିହରଣ ବୋଷ  ଓ ୩ ନମ୍ବର କେଭିର ପ୍ରିନ୍ସିପାଲ ଡଃ  ଏ. କେ.  ମିଶ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଆସୋସିଏଟ୍ ପ୍ରଫେସର ଡଃ  ଆର୍ ସେଠୀ, ଉପାଧ୍ୟକ୍ଷ,  ଏସ୍ . କେ. ଦାଶ, ବି. ଏନ୍‌. ଷଡ଼ଙ୍ଗୀ ଓ କେଭି – ୩ର ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ । ପ୍ରଫେସର ପିସି ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତନ ଓ ନବସୃଜନକୁ ଆପଣାଇବାକୁ ପ୍ରୋତ୍ସାହିତ କରିବା ସହ କ୍ୟାରିୟର ଚୟନ କରିବା ଏବଂ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତିର ସୁପାରିସ ଉପରେ ସେ ଆଲୋକପାତ କରିଥିଲେ । କେଭିଏସ୍ ଆରଓ, ଭୁବନେଶ୍ୱରର ଡେପୁଟି କମିଶନର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରହ ଭିତ୍ତିରେ ଏବଂ ବିନା କୌଣସି ଚାପରେ କ୍ୟାରିୟର ଚୟନ କରିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଆର୍‌ଆଇଇର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ୪୮ରୁ ଅଧିକ ଉଦୀୟମାନ କ୍ୟାରିୟର ପ୍ରଦର୍ଶନ କରାଯାଇଥିଲା।

ପ୍ରଦର୍ଶନୀ କେବଳ ସୂଚନାପ୍ରଦ ନୁହେଁ ବରଂ ଆକର୍ଷଣୀୟ ଏବଂ ମଜାଦାର ମଧ୍ୟ ଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ କ୍ୟାରିୟର ପସନ୍ଦ ବ୍ୟତୀତ ଚିନ୍ତା କରିବାକୁ ଏବଂ ଉଦୀୟମାନ କ୍ଷେତ୍ରଗୁଡିକ ଉପରେ ବିଚାର କରିବାକୁ ଉତ୍ସାହିତ କରିଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟର ୬ ଶହରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପରିଦର୍ଶନ କରିଥିଲେ ।

Share This Article