ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ର ମିଳିତ ଚଢାଉ: ତିନି ଲୁଟେରା ଗିରଫ, ୯ ମୋବାଇଲ ଜବତ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଖଲିକୋଟ ରେଳ ଷ୍ଟେସନରେ ଚଢ଼ାଉ କରି ତିନି ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ଅଞ୍ଚଳର ପ୍ରଶାନ୍ତ ଜାଲି (୧୯), ରୁଦ୍ର ଦାସ (୨୦) ଏବଂ ଟୁନା ବେହେରା (୨୩)।

ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଗଠନ କରାଯାଇ ଉକ୍ତ ଷ୍ଟେସନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ତିନି ଜଣ ସଂନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯିବାରୁ ସେମାନେ ଦୁଇ ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସରୁ ଯାତ୍ରୀମାନଙ୍କ ମୋବାଇଲ ଚୋରି କରିଥିବାର ସ୍ୱୀକାର କରିଥିଲେ। ସେମାନେ ପୁରୀରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ବିଭିନ୍ନ ଟ୍ରେନରୁ ଯାତ୍ରୀମାନଙ୍କ ମୋବାଇଲ ଲୁଟ କରୁଥିଲେ। ସେମାନଙ୍କ ନିକଟରୁ ୬ ଗୋଟି ଏବଂ ଚାରି ନମ୍ବର ପ୍ଲାଟଫର୍ମ ଶେଷଭାଗରେ ଥିବା ଏକ ଆମ୍ବ ଗଛ ନିକଟରୁ ଲୁଚାଯାଇଥିବା ୩ ଗୋଟିକୁ ମିଶାଇ ସମୁଦାୟ ୯ ଗୋଟି ଆଣ୍ଡ୍ରୋଏଡ଼ ମୋବାଇଲ ଫୋନ ଉଦ୍ଧାର କରିଛି ଆରପିଏଫ।

ଏ ସଂକ୍ରାନ୍ତରେ ବ୍ରହ୍ମପୁର ଜିଆରପି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲୁଗାଁ ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।

Share This Article