ଯାଜପୁର ସରକାରୀ ଆଇଟିଆଇରେ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ସୁବିଧା

Odisha Hot News
3 Min Read

ଭୁୁବନେଶ୍ୱର/ଯାଜପୁର: ଯାଜପୁରସ୍ଥିତ ସରକାରୀ ଆଇଟିଆଇର ୱେଲ୍ଡିଂ ବିଭାଗ ଏବେ ସମ୍ପୂର୍ଣ୍ଣ ନୂଆ ରୂପ ପାଇଛି। ସେଠାରେ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ଭଳି ଅତ୍ୟାଧୁନିକ ବିଷୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ବା ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। ଫଳରେ ସେଠାରେ ଯୁବପିଢ଼ିଙ୍କୁ ଏବେ ଉନ୍ନତ ଢାଞ୍ଚାରେ ଶିଳ୍ପ ଉପଯୋଗୀ ତାଲିମ ଦେଇ ସେମାନଙ୍କ ଦକ୍ଷତାକୁ ବିକଶିତ କରାଯାଇପାରୁଛି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ ଓଡ଼ିଶାର ୫ଟି ଖଣି ପ୍ରଭାବିତ ଜିଲ୍ଲାରେ ମୋଟ ୧୪ଟି ସରକାରୀ ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଏଭଳି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଯାଜପୁର ସହିତ କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଏହିସବୁ କେନ୍ଦ୍ର ବିକଶିତ କରାଯାଉଛି। ତା’ ଭିତରେ ରହିଛି ୮ଟି ଆଇଟିଆଇ, ୩ଟି ପଲିଟେକନିକ୍ ଏବଂ ୩ଟି ଇଞ୍ଜିନିୟରିଂ କଲେଜ।

୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁରଠାରେ ଆଇଟିଆଇ ସ୍ଥାପନ କରାଯାଇଥିଲା। ଏହି ଦକ୍ଷତା ବିକାଶ କେନ୍ଦ୍ରରେ ବର୍ତ୍ତମାନ ୫ଟି ଟ୍ରେଡ୍ – ଫିଟର, ଇଲେକ୍ଟ୍ରିସିଆନ୍‌, ଏମଏମଭି, ୱେଲ୍ଡର ଏବଂ କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ବିଷୟରେ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଉଛିୟ।

ଏଠାରେ ଥିବା ୱେଲ୍ଡିଂ ଟ୍ରେଡକୁ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ବିଷୟରେ ଉତ୍କର୍ଷ କେନ୍ଦ୍ର ଭାବେ ରୂପାନ୍ତରିତ କରାଯାଇଛି। ମେସର କଟିଂ ସିଷ୍ଟମସ୍ କମ୍ପାନିର ବୈଷୟିକ ସହାୟତାରେ ଏହି ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଏଭଳି ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ଭବିଷ୍ୟତ ଲାଗି ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରାଯାଉଛି।

ଓମ୍ବାଡସି ସହାୟତାରେ ନିର୍ମିତ ଏହି ଉତ୍କର୍ଷ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଏଠାରେ ଲେଜର କଟିଂ, ପ୍ଲାଜମା କଟିଂ, ଡେଷ୍ଟ୍ରକ୍ଟିଭ୍ ଓ ନନ-ଡେଷ୍ଟ୍ରକ୍ଟିଭ୍ ଟେଷ୍ଟିଂ ମେସିନ ସହିତ ଆଧୁନିକ ୱେଲ୍ଡିଂ ମେସିନ ଆଦି ରଖାଯାଇଛି। ଛାତ୍ରଛାତ୍ରୀମାନେ ଏହିସବୁ ମେସିନରେ କାମ କରି ଶିଖିବା ସହ ଭବିଷ୍ୟତରେ ବିଭିନ୍ନ ଶିଳ୍ପରେ ଯାଇ କିପରି ଦକ୍ଷତାର ସହ କାମ କରିପାରିବେ ସେ ଦିଗରେ ପ୍ରସ୍ତୁତ ହେଉଛନ୍ତି।

“ଦେଶ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ ଆଜି ଦକ୍ଷ ଯୁବପିଢ଼ିଙ୍କର ଚାହିଦା ବଢ଼ିଛି। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାରକରି ତଥା ଶିଳ୍ପ-ଉପଯୋଗୀ ଢାଞ୍ଚାରେ ଯାଜପୁର ସରକାରୀ ଆଇଟିଆଇରେ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଉଛି। ଓମ୍ବାଡସି ସହାୟତାରେ ଆଜିର ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ମେସିନ ଏଠାରେ ସ୍ଥାପନ କରାଯାଇଛି। ଫଳରେ ତାହା ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷଣ ଲାଗି ଅଧିକ ଉପଯୋଗୀ ହୋଇପାରୁଛି”, କହିଛନ୍ତି ଯାଜପୁର ସରକାରୀ ଆଇଟିଆଇର ଅଧ୍ୟକ୍ଷା ସବିତାରାଣୀ ସାହୁ।

ଯାଜପୁର ସରକାରୀ ଆଇଟିଆଇରେ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ” ବିଷୟରେ ଥିବା ଉତ୍କର୍ଷ କେନ୍ଦ୍ରରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରୁ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନେ ଆସି ମଧ୍ୟ ତାଲିମ ନେଉଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ପଟ୍ଟାମୁଣ୍ଡାଇ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ବଡ଼ବିଲସ୍ଥିତ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ୬ଟି ବ୍ୟାଚରେ ଏଠାରେ ଆସି ତାଲିମ ନେଇଥିଲେ। ୨୦୨୩-୨୪ ବର୍ଷରେ ଏଭଳି ୨୦ଟି ବ୍ୟାଚକୁ “ଥର୍ମାଲ କଟିଂ ଆଣ୍ଡ୍ ୱେଲ୍ଡିଂ”ରେ ଅତ୍ୟାଧୁନିକ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ଟ୍ରେଡ୍ ସହିତ ନିଯୁକ୍ତି କ୍ଷେତ୍ରରେ କିପରି ସଫଳତାର ସହ କାମ କରିବେ ସେଥିପାଇଁ ଆବଶ୍ୟକ ତାଲିମ ଦିଆଯାଉଛି। ଏହାସହିତ ବିଭିନ୍ନ ଶିଳ୍ପ ଅନୁଷ୍ଠାନର ସହଭାଗିତାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତିରିକ୍ତ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଯାଜପୁର ସରକାରୀ ଆଇଟିଆଇର ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ଓମ୍ବାଡସି ପାଣ୍ଠିରୁ ସହାୟତା ଦିଆଯାଉଛି।

Share This Article