ମୂଲ ଟଙ୍କା ମାଗିବାରୁ ବିଅର ବୋତଲରେ ଆକ୍ରମଣ କଲା ମଜୁରିଆ ବନ୍ଧୁ, ଶ୍ରମିକ ଗୁରୁତର

Odisha Hot News
1 Min Read

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୂଲ ଟଙ୍କା ମାଗିବାରୁ ନିଜର ବନ୍ଧୁକୁ ଦିନ ମଜୁରିଆ ବନ୍ଧୁ ବିଅର ବୋତଲରେ  ଆକ୍ରମଣ କରିଛି। ଫଳରେ ମଜୁରିଆ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମର ଅର୍ଜୁନ ପଲାଇ (୪୫) ଗାଁରେ ମୁଲ ମଜୁରୀ କରି ପରିବାର ଚଳାନ୍ତି। ଗତ କିଛି ଦିନ ତଳେ ନିଜର ଜଣେ ବନ୍ଧୁ ରବି ପଲାଇ ସହ ବାଣପୁର ଶାଳିଆ ଡ୍ୟାମରେ କାମ କରିବାକୁ ଯାଇଥିଲେ। କାମ ପରେ ରବି ପଲାଇ ସେଠାରୁ କାମ ବାବଦରେ ଆଣିଥିବା ମଜୁରୀ ପଇସା ଅର୍ଜୁନକୁ ଦେଇନଥିଲେ।

ଫଳରେ ଅର୍ଜୁନ ତାଙ୍କୁ ମଜୁରି ପଇସା ବାରମ୍ବାର ମାଗିଥିଲେ। ଗତ କାଲି ରାତିରେ ରବି ପଲାଇ ଗାଁ ଛକରେ ଛିଡା ହୋଇଥିବା ବେଳେ ଅର୍ଜୁନ ନିଜ ମଜୁରୀ ପଇସା ମାଗିଥିଲେ।

ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ରବି ପଲାଇ ହଠାତ ଉତ୍ୟକ୍ତ ହୋଇ ଅର୍ଜୁନ ପିଚାରେ ଏକ ବିଅର ବୋତଲ ଭାଙ୍ଗି ଭର୍ତ୍ତି କରିଦେଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ଅର୍ଜୁନ ଟାଙ୍ଗୀ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରୁଛି।

Share This Article