ଆଜି ଉତ୍କଳ ଦିବସ: ସ୍ୱତନ୍ତ୍ର ଓଡ଼ିଶାକୁ ପୁରିଲା ୮୪ବର୍ଷ

Odisha Hot News
2 Min Read

ଓଡ଼ିଶା ଆଜି ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ସମ୍ମାନ ଓ ଗୌରବର ଅଧିକାରୀ, ବିପର୍ଯ୍ୟୟ ପରିଚାଳନା, ଗରିବୀ ହ୍ରାସ, ଅର୍ଥନୈତିକ ଅଭିବୃଦ୍ଧି, ରାଜନୈତିକ ସ୍ଥିରତା, ଜନକଲ୍ୟାଣକାରୀ ଯୋଜନାରେ ସାଫଲ୍ୟମଣ୍ଡିତ। ଦେଶର ପ୍ରମୁଖ ନୀତିନିର୍ଦ୍ଧାରଣ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ/ସଂସ୍ଥା/ଅନୁଷ୍ଠାନର ମୁଖ୍ୟ ପଦ ଓଡ଼ିଆମାନଙ୍କ ଦ୍ୱାରା ଅଳଂକୃତ। ଓଡ଼ିଆ ଭାଷା ସାହିତ୍ୟର ସଙ୍କଟମୟ ସ୍ଥିତି, ଅସ୍ମିତାର ପ୍ରତିକୂଳ ପରିସ୍ଥିତି ଏବଂ ସଂଘର୍ଷମୟ ଇତିହାସର ପୃଷ୍ଠଭୂମିରେ ଏହି ସଫଳତା ଗୋଟିଏ ଜାତି ଓ ଭାଷାଭାଷୀଙ୍କ ପାଇଁ ଗୌରବୋଜ୍ଜ୍ୱଳ ଉପଲବ୍ଧି ବୋଲି ସମଗ୍ର ରାଜ୍ୟବାସୀଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ବ୍ୟକ୍ତିଗତ ସଫଳତାର ଊର୍ଦ୍ଧ୍ବରେ କଳା, ଭାସ୍କର୍ଯ୍ୟ, ପରମ୍ପରା ଓ ସଂସ୍କୃତିର ବିଭବରେ ଓଡ଼ିଶାର ମାଟି, ପାଣି, ପବନ କେବଳ ମହିମାମଣ୍ଡିତ ହୋଇନାହିଁ, ବରଂ ଅଗଣିତ ଅଣଓଡ଼ିଆଙ୍କ ଚିନ୍ତା-ଚେତନାକୁ ଓଡ଼ିଆତ୍ୱର ସୌରଭରେ ସମୃଦ୍ଧି କରିଆସିଛି। ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଜି ୮୪ ବର୍ଷ ପୂର୍ତ୍ତି ଅବସରରେ ଉତ୍ତରପିଢ଼ିକୁ ଏହି ଗୌରବର ଅଧିକାର ଓ ସ୍ୱତ୍ୱ ଦେଇ ଯାଇଥିବା ସେହି ଯଶସ୍ୱୀ ସାଧକ, ପ୍ରାତଃସ୍ମରଣୀୟ ଉତ୍କଳର ବରପୁତ୍ରମାନଙ୍କ ଅମର ଆତ୍ମା ନିକଟରେ ଆମର ମସ୍ତକ ସ୍ୱତଃ ନତ ହୋଇଯାଏ।
ଓଡ଼ିଆ ଭାଷା-ସାହିତ୍ୟ ଶାସ୍ତ୍ରୀୟ ମାନ୍ୟତାର ଅଧିକାରୀ। ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା, ଶାଳୀନତା, ମାଧୁର୍ଯ୍ୟ ଓ ଲାଳିତ୍ୟରେ ବିଶ୍ୱ କଳାପ୍ରେମୀ ବିମୋହିତ। ଭାଷା ସାହିତ୍ୟ ବିରୋଧୀ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଓଡ଼ିଶା ଓ ଓଡ଼ିଆ ଜାତିର ଏହାଠାରୁ ବଡ଼ ସଫଳତା ଆଉ କ’ଣ ହୋଇପାରେ? ଏହାସତ୍ତ୍ୱେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା, ସରକାରୀ ସ୍ତରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର, ଓଡ଼ିଆ ଭାଷାରେ ଶିକ୍ଷାଦାନର ଉତ୍କର୍ଷ ଆଦି କେତେକ କ୍ଷେତ୍ରରେ ନୈରାଶ୍ୟ ଭାବ ସୃଷ୍ଟି ହେଉଛି। ଏଥିପାଇଁ ଆମର ଉଦାସୀନତା ଓ ମାନସିକତା ଦାୟୀ ବୋଲି ଅଭିଯୋଗ ଆସୁଛି। ଆମର ଏହି ମନୋଭାବ ଓଡ଼ିଶା ଭାଷା-ସାହିତ୍ୟର ଅସ୍ମିତା ଓ ଭବିଷ୍ୟତ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ କହିବା ଉଚିତ ହେବ ଯେ ଉପରୋକ୍ତ ଅଭିଯୋଗ ଭିତ୍ତିହୀନ ହୋଇନପାରେ, କିନ୍ତୁ ଆଜିକୁ ପ୍ରାୟ ଦେଢ଼ଶହ ବର୍ଷ ତଳର ସ୍ଥିତି ତୁଳନାରେ ଆଜିର ସ୍ଥିତି ଗମ୍ଭୀର ନୁହେଁ। ଅତୀବ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ଓଡ଼ିଆ ଭାଷା ଓ ଜାତି ଆଜି ଯଦି ସଗର୍ବେ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି, ତାହା କେବଳ ସମ୍ଭବ ହୋଇପାରିଛି ଭାଷାର ମୌଳିକତା ଓ ଅନାବିଳ ଶାଶ୍ୱତ ଧାରା ଯୋଗୁଁ। ସେହି ଭିତ୍ତି ଉପରେ ଛିଡ଼ା ହୋଇ ଭାଷା ଓ ଜାତିର ପ୍ରଗତି ପାଇଁ ସଂକଳ୍ପ ନେବାର ଏହା ହିଁ ମହାର୍ଘ ମୁହୂର୍ତ୍ତ। ଭାବନା ସମର୍ପିତ, ଇଚ୍ଛାଶକ୍ତି ଅବିଚଳିତ ଓ ସଂକଳ୍ପ ସ୍ୱାର୍ଥରହିତ ହେଲେ ତାହା ଐଶ୍ୱରୀୟ ଶକ୍ତିରେ ରୂପାନ୍ତରିତ ହୁଏ। ଏହି ଶକ୍ତି ସମସ୍ତ ନକାରାତ୍ମକ ତତ୍ତ୍ୱକୁ ପ୍ରତିହତ କରିବାର ସାମର୍ଥ୍ୟ ରଖେ। ଆସନ୍ତୁ ଆଜିର ଏହି ଅମୃତ ବେଳାରେ ସେହି ଐଶ୍ୱରୀୟ ଶକ୍ତି ପ୍ରାପ୍ତି ପାଇଁ ଆମ ଚେତନା ଓ ଭାବନାକୁ ମନ୍ତ୍ରସିକ୍ତ କରିବା।

Share This Article
Leave a Comment