ବିଦ୍ୟୁତ ବିଭାଗର ଅପାରଗତା: ଚାହୁଁ ଚାହୁଁ ଚାଲିଗଲା ଗୋଟିଏ ଜୀବନ, ଅଳ୍ପକେ ବର୍ତ୍ତିଲେ ଜଣେ ଯୁବକ

Odisha Hot News
2 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହେଉଥିବା ବେଳେ ଅଚାନକ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି। ଅବହେଳିତ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି।

ଆଜି କୋଦଳା ଏନଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ରେ ଥିବା ସରକାରୀ ହୋଡିଂ ନିକଟକୁ ଯାଇ ପରିଶ୍ରା କରୁଥିବା ସମୟରେ ହଠାତ ଉକ୍ତ ଲୁହାର ହୋଡିଂର ସଂସ୍ପର୍ଶରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ସେଠାରେ ଉପସ୍ଥିତ ଥିବା କାଳୁ ପୋଲେଇ ବୃଦ୍ଧଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ କିଛି ଦୁରକୁ ଛିଟିକି ପଡ଼ିଥିଲେ। କିନ୍ତୁ ନିଜ ଜୀବନ ବଞ୍ଚି ଯାଇଥିଲା।

ଏହା ଦେଖି ଲୋକମାନେ ଜାଣିବାକୁ ପାଇଥିଲେ ଯେ, ହୋଡିଂ ଉପର ଦେଇ ଯାଇଥିବା ଟାଟା ପାୱାରର ୧୧ କେଭି ବିଦ୍ୟୁତ ତାର ହୋଡିଂ ରେ ଲାଗି ବିଦ୍ୟୁତ ସଂଯୋଗ ହୋଇଯାଇଛି। ସଙ୍ଗେ ସଙ୍ଗେ ସେହିଗ୍ରାମର ଯୁବକ ଯଜ୍ଞ ପତି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରର ସରବରାହ ବିଛିନ୍ନ କରିଥିଲେ ଓ କନ୍ଧ ରାଉତଙ୍କୁ ତତକ୍ଷଣାତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।

କିଛି ସମୟ ପାଇଁ ଉକ୍ତ ସ୍ଥାନରେ ବିଦ୍ୟୁତ ବିଭାଗ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ଲାଗି ଏକ ମୂଲ୍ୟବାନ ଜୀବନ ଚାଲି ଯାଇଥିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉକ୍ତ ପରିବାରକୁ ସରକାରୀ ସହାୟତା ସମେତ ବିଦ୍ୟୁତ ବିଭାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇନାମ ବେଲପଡ଼ା ବାସୀ ଦାବୀ କରିଛନ୍ତି।

Share This Article