ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

Odisha Hot News
3 Min Read

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି। ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ।

ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ସିନେପଲିସ ପ୍ରେକ୍ଷାଳୟରେ ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ କେତେ ଉଚ୍ଚରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ଥିଲେ।

ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା।

ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା।  ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Share This Article