ଯୁବତୀକୁ ଅପହରଣ ଉଦ୍ୟମ ଓ ସମିତିସଭ୍ୟଙ୍କୁ ଚାନ୍ଦା ମାଗିବା ଅଭିଯୋଗ, ୪ ଗିରଫ

Odisha Hot News
2 Min Read

କୁଜଙ୍ଗ: ଆଜି କୁଜଙ୍ଗ ଥାନା ଅଂଚଳ ବାଲିତୁଠ ଓ ହଂସୁରା ପଂଚାୟତରେ ପୃଥକ ପୃଥକ ମାମଲାରେ ୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଦୁଇଟି ଘଟଣାରେ ବିଭିନ୍ନ ଦଫାରେ ଦୁଇଟି ମାମଲା ରୁଜୁ କରାଯାଇଥିବା କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

ଘଟଣାରୁ ପ୍ରକାଶଯେ, କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ଗଣ୍ଡମୁଣ୍ଡ ଗ୍ରାମର ଜନୈକ ଯୁବତୀଙ୍କୁ କୁଜଙ୍ଗ ଥାନା ଗୋପିଆକୁଦ ପଂଚାୟତର ବାଲିସାହୀ ଗ୍ରାମର ବାବୁ ମାଝୀ ଏକ ତରଫା ଭାବେ ପ୍ରେମ ନିବେଦନ କରିଆସୁଥିଲେ। ଯୁବତୀ ଜଣକ ତାଙ୍କର ଏହି ଜୁଲମକୁ ବରଦାସ୍ତ କରିଆସୁଥିଲେ। ତେବେ ଅତ୍ୟନ୍ତ ଗରୀବ ଓ ଅସହାୟ ପରିବାରର ହୋଇଥିବାରୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସହାସ ଜୁଟାଇ ପାରୁନଥିଲେ। ମାତ୍ର ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଅଭିଯୁକ୍ତ ବାବୁ ତାଙ୍କର ଭାଇ ବିକ୍ରମ ମାଝୀ ଓ ଭିଣୋଇ ଶିଶିର ବେହେରାଙ୍କ ସହିତ ତାଙ୍କ ଘରକୁ ଯାଇ ତାଙ୍କୁ ବଳପୂର୍ବକ ଉଠାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଯୁବତୀ ଜଣକ ସାହାସ ଜୁଟାଇ କୁଜଙ୍ଗ ଥାନାକୁ ଫୋନକରିଥିଲେ।

ତୁରନ୍ତ କୁଜଙ୍ଗ ପୁଲିସ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ। ପରେ ଯୁବତୀଙ୍କ ଅଭିଯୋଗକ୍ରମେ ୩୮୯/୨୩ ସଙ୍ଖ୍ୟାରେ ମାମଲା ରୁଜୁ କରାଯାଇଥିଲା।

ଅଭିଯୁକ୍ତ ମାନଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ଅଦାଲତକୁ ଆଜି ପଠାଯାଇଥିଲା। ମାତ୍ର ସେଠାରେ ସେମାନଙ୍କର ଜାମିନୀ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ ହାଜାତକୁ ପଠାଇ ଦିଆଯାଇଛି।

ଅନୁରୂପଭାବେ ହଂସୁରା ପଂଚାୟତର ସମିତି ସଭ୍ୟ ନୀରଞ୍ଜନ ଦାସଙ୍କୁ ସେହି ସାମପୁର ଗ୍ରାମର ସୁଧୀର ମଲ୍ଲିକ ଭୟଭୀତ କରାଇବା ସହିତ ଚାନ୍ଦା ମାଗିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୩୮୮/୨୩ ସଂଖ୍ୟାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସୁଧୀର ମଲ୍ଲିକଙ୍କ ପତ୍ନୀ ଏକ ପାଲଟା ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି।

Share This Article