ଶେଷ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଆଇସିସି ବିଶ୍ବ ଚାମ୍ପିୟନସିପ ଫାଇନାଲକୁ ପ୍ରବେଶ କଲା ଭାରତ

Odisha Hot News
3 Min Read

ଅହମଦାବାଦ: ଭାରତ ପ୍ରଥମ ବିଶ୍ବ ଟେଷ୍ଟ୍ ଚାମ୍ପିଅନଶିପ୍ ଫାଇନାଲ୍‌ରେ ପ୍ରବେଶ କରିଛି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୩ୟ ଟେଷ୍ଟ ଜିତି ବିରାଟ କୋହଲି ବାହିନୀ ଫାଇନାଲର ନିକଟତର ହୋଇଥିଲେ ହେଁ ଶେଷ ଟେଷ୍ଟକୁ ଅତି କମରେ ଡ୍ର’ ରଖିବାର ଆବଶ୍ୟକତା ଥିଲା। କିନ୍ତୁ ଚଳିତ ଶେଷ ଟେଷ୍ଟରେ ଭାରତୀୟ ବୋଲର୍ ଓ ବ୍ୟାଟ୍ସମ୍ୟାନମାନେ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ଇନିଂସ ବିଜୟ ହାସଲ କରିବା ଫଳରେ ଆସନ୍ତା ଜୁନ୍ ୧୮ ତାରିଖରେ ଲର୍ଡ୍ସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନଶିପ୍ ଫାଇନାଲର ଦୁଇ ଦଳ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ପହଞ୍ଚିସାରିଥିବା ନ୍ୟୁଜିଲାଣ୍ଡକୁ ଫାଇନାଲରେ ଭାରତ ଟକ୍କର ଦେବା ନିଶ୍ଚିତ ହୋଇଛି। ଏଥିସହ ଭାରତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗ୍‌ରେ ମଧ୍ୟ ଏକ ନମ୍ବର ସ୍ଥାନରେ ପହଞ୍ଚିଯାଇଛି। ଚଳିତ ଚତୁର୍ଥ ଟେଷ୍ଟରେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ ରନରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୩୬୫ ରନ୍ କରିଥିଲା। ୧୬୦ ରନ୍ ପଛୁଆ ଥିବା ଇଂଲଣ୍ଡ ତା’ର ଦ୍ବିତୀୟ ଇନିଂସ ଶନିବାର ଆରମ୍ଭ କରି ଦିନକ ଭିତରେ ହିଁ ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୧୩୫ ରନ୍ କରି ଅଲଆଉଟ୍ ହୋଇଯିବା ଫଳରେ ଭାରତ ଏକ ଇନିଂସ ଓ ୨୫ ରନରେ ବିଜୟୀ ହୋଇ ସିରିଜ ୩-୧ରେ ଜିତିନେଇଛି। ଶତକୀୟ ଇନିଂସ ଖେଳିଥିବା ଭାରତର ଋଷଭ ପନ୍ତ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଓ ଦ୍ବିତୀୟ ଇନିଂସରେ ୫ଟି ସହ ମ୍ୟାଚରେ ୮ଟି ୱିକେଟ୍ ନେଇଥିବା ରବିଚନ୍ଦ୍ରନ୍ ଅଶ୍ବିନ୍ ମ୍ୟାନ୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି।

୨୯୪/୭ରୁ ଶନିବାର ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ୱାଶିଂଟନ୍ ସୁନ୍ଦର (୬୦) ଓ ଅକ୍ଷର ପଟେଲ୍ (୧୧) ସେମାନଙ୍କ ମଧ୍ୟରେ ଅଷ୍ଟମ ୱିକେଟରେ ଭାଗିଦାରୀକୁ ୧୦୬ରେ ପହଞ୍ଚାଇଥିଲେ। ଅକ୍ଷର ବ୍ୟକ୍ତିଗତ ଭାବେ ୫ଟି ଚୌକା ଓ ଗୋଟିଏ ଛକା ସହ ୪୩ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗିଦାରୀ ଭାଙ୍ଗିଥିଲା। ଏହି ସମୟରେ ସୁନ୍ଦର ୯୬ ରନ୍ କରି ଅପରପଟରେ ଅପରାଜିତ ଥିଲେ। କିନ୍ତୁ ପରବର୍ତ୍ତୀ ୨ଟି ୱିକେଟ୍ ସମାନ ସ୍କୋରରେ ପଡ଼ିଯିବାରୁ ସୁନ୍ଦର ତାଙ୍କ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୦ଟି ଚୌକା ଓ ଗୋଟିଏ ଛକା ସହ ୯୬ ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୪ଟି, ଜେମ୍ସ ଆଣ୍ଡରସନ୍ ୩ଟି ଓ ଜ୍ୟାକ୍ ଲିଚ୍ ୨ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ତା’ର ଦ୍ବିତୀୟ ଇନିଂସ ଆରମ୍ଭ କରିବା ପରେ ଭାରତୀୟ ସ୍ପିନରଙ୍କ ଯାଦୁକରୀ ବୋଲିଂ ବଳରେ ୩୦ ରନରେ ପହଞ୍ଚିବା ବେଳକୁ ୪ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିଅନ୍ ଫେରିସାରିଥିଲେ।

ପଞ୍ଚମ ୱିକେଟରେ ଅଧିନାୟକ ଜୋ ରୁଟ୍ ଓ ଓଲି ପୋପ୍ ୩୫ ରନ୍ ଯୋଡ଼ିଥିଲେ ହେଁ ପୋପ୍ ବ୍ୟକ୍ତିଗତ ଭାବେ ୧୫ ରନ୍ କରି ଦଳୀୟ ସ୍କୋର୍ ୬୫ ଥିବା ସମୟରେ ଆଉଟ୍ ହୋଇଥିଲେ। ପରେ ରୁଟ୍ ମଧ୍ୟ ସମାନ ସ୍କୋରରେ ଆଉଟ୍ ହୋଇଥିଲେ। ତେଣୁ ଦଳ ୬୫ ରନ୍ ମଧ୍ୟରେ ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ସପ୍ତମ ୱିକେଟରେ ବେନ୍ ଫୋକ୍ସ ଓ ଡାନିଏଲ୍ ଲରେନ୍ସ ୪୪ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ଶହେ ଟପିଥିଲା। ଫୋକ୍ସ ୧୩ ରନ୍ କରି ଆଉଟ୍ ହେବା ପରେ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହେବା ପୂର୍ବରୁ ଲରେନ୍ସ ଅର୍ଦ୍ଧଶତକ ପୂରଣ କରିସାରିଥିଲେ। ସେ ୬ଟି ଚୌକା ସହ ୫୦ ରନ୍ କରିଥିଲେ। ଭାରତ ପକ୍ଷରୁ ଦୁଇ ପ୍ରମୁଖ ସ୍ପିନର୍ ଅକ୍ଷର ଓ ଅଶ୍ବିନ୍ ୫ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏଥିସହ ଚତୁର୍ଥ ଟେଷ୍ଟଟି ୩ୟ ଦିନରେ ହିଁ ଶେଷ ହୋଇଯାଇଛି। ଉଭୟ ଦଳ ମଧ୍ୟରେ ଆସନ୍ତା ୧୨ ତାରିଖରୁ ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

Share This Article