ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ ମାମଲା: ମାର୍ଚ୍ଚ ୨୫ରେ ରାଜ୍ୟବ୍ୟାପି ପ୍ରତିବାଦ କରିବ ଓଡ଼ିଶା କଂଗ୍ରେସ

Odisha Hot News
2 Min Read

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ ନେଇ ଓଡ଼ିଶା କଂଗ୍ରେସ ଶନିବାର ରାଜ୍ୟବ୍ୟାପି ପ୍ରତିବାଦ କରିବ। କଂଗ୍ରେସର ପ୍ରତିବାଦ ନେଇ ଭିଡିଓ ବାର୍ତ୍ତା ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଆକ୍ରୋଶମୂଳକ ଭାବେ ରାହୁଲ ଗାନ୍ଧିଙ୍କୁ ଯେଭଳି ଭାବେ ହଇରାଣ କରିବାକୁ ଚାହୁଁଛନ୍ତି, କେବେବି ସେଥିରେ ସେମାନେ ସଫଳ ହୋଇପାରିବେ ନାହିଁ। ରାହୁଲ ଗାନ୍ଧି ଭାରତ ବର୍ଷରେ ସଂଘର୍ଷ କରିବାକୁ ବାହାରିଛନ୍ତି। ସେ ଜନମାନସର ନେତା, ସମ୍ବିଧାନ ତଥା ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ବାହାରିଛନ୍ତି। ଦେଶର ଜନତା କିପରି ଶାନ୍ତି ଓ ଖୁସିରେ ରହିବେ, ସେଥିପାଇଁ ସେ ସଂଗ୍ରାମ ଜାରି ରଖିଛନ୍ତି। କିନ୍ତୁ କିଛି ଲୋକ ଏହାକୁ ସହ୍ୟ କରିପାରୁ ନାହାନ୍ତି। ତାଙ୍କ ନାଁକୁ ଡରୁଛନ୍ତି ଓ ଭୟଭୀତ ହେଉଛନ୍ତି।

ରାହୁଲ ଗାନ୍ଧିଙ୍କ ଉପରେ ଆକ୍ରମଣ ଅର୍ଥାତ କଂଗ୍ରେସ ଦଳ ପ୍ରତି ଆକ୍ରମଣ। ତେଣୁ କଂଗ୍ରେସ ଚୁପ ହୋଇ ବସିବ ନାହିଁ। କଂଗ୍ରେସ ସବୁବେଳେ ନ୍ୟାୟାଳୟକୁ ସମ୍ମାନ ଦେଇଆସିଛି। ନ୍ୟାୟାଳୟ ଉ‌ପରେ ବିଶ୍ବାସ ରଖିଛି। ଆମେ ଗାଁରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ରାହୁଲଙ୍କ ପଛରେ ଛିଡ଼ା ହୋଇଛୁ। ଓଡ଼ିଶାର ଜନସାଧାରଣ ତାଙ୍କରି ପଛରେ ଛିଡ଼ା ଅଛନ୍ତି। ଆଗାମୀ ଦିନରେ ଏଆଇସିସି ଯାହା ନିର୍ଦ୍ଦେଶ ଦେବ, ସେହି ଆଧାରରେ ଆମେ କାମ କରିବୁ। ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଧାରଣା ହୋଇସାରିଛି। ଆଜି ବିଜେପି ଗାନ୍ଧି ପରିବାରକୁ ସହିପାରୁ ନାହିଁ। କିନ୍ତୁ ତାଙ୍କର ପରିବାରର ମହାନ ନେତା ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧୀ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ବଳିଦାନ ଦେଇଛନ୍ତି। ସେହି ପରିବାର ଉପରେ ଆକ୍ଷେପକୁ ଜନସାଧାରଣ ବରଦାସ୍ତ କରିପାରିବେ ନାହିଁ ଏବଂ ଆଗାମୀ ଦିନରେ ଜୋରଦାର ରାଜନୈତିକ ଲଢ଼େଇ ହେବ ବୋଲି ପିସିସି ସଭାପତି କହିଛନ୍ତି ।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରାଯିବା ଅତ୍ୟନ୍ତ ଦୁଃଖଦାୟକ। ଆମେ କିଛି ଦିନ ହେଲା ଲକ୍ଷ୍ୟ କରୁଛୁ ଯେ, ରାହୁଲ ଗାନ୍ଧି ଯେତିକିଯେତିକି ଲୋକଙ୍କ ପାଖକୁ ଯାଉଛନ୍ତି, ସେତିକିସେତିକି ତାଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଚାଲିଛି। ସେ ଭାରତ ଯୋଡୋ ଯାତ୍ରା କଲେ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ଅଞ୍ଚଳ ବୁଲିଲେ। ଆଗକୁ ହାତସହିତ ହାତ ଯୋଡ଼ ରହିଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ତାଙ୍କର ଲୋକପ୍ରିୟତା ବଢ଼ିଛି।

Share This Article