ପାକିସ୍ତାନ ଓ ତୁର୍କୀକୁ ଝଟକା ଦେଲା ଆମେରିକା, ହେଲିକପ୍ଟର ଡ଼ିଲରେ ଲଗାଇଲା ରୋକ

Odisha Hot News
1 Min Read

ଇସଲାମାବାଦ: ତୁର୍କୀ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରଶସ୍ତ୍ର ଡ଼ିଲ ଉପରେ ରୋକ ଲଗାଇଛି ଆମେରିକା। ତୁର୍କୀ, ପାକିସ୍ତାନକୁ ଦେବାକୁ ଥିବା ହେଲିକପ୍ଟର ଡ଼ିଲ ଉପରେ ରହିତାଦେଶ ଜାରି କରିଛି ଆମେରିକା।ଚୁକ୍ତିନାମା ଅନୁଯାୟୀ ତୁର୍କୀ, ପାକିସ୍ତାନକୁ ୩୦ଟି ହେଲିକପ୍ଟର ଦେବାର ଥିଲା। ଆଉ ଆମେରିକାର ରହିତାଦେଶକୁ ନେଇ ତୁର୍କୀ ରାଷ୍ଟ୍ରପତିଙ୍କ ମୁଖପାତ୍ର ଇବ୍ରାହିମ କାଲୀନ କହିଛନ୍ତି ଯେ ପାକିସ୍ତାନକୁ ହେଲିକପ୍ଟର ବିକ୍ରୟ କରିବାକୁ ଆମେରିକା ମନା କରିଛି। ଆଉ ଏଭଳି ସ୍ଥିତିରେ ପାକିସ୍ତାନ ଚୀନ ଠାରୁ ହେଲିକପ୍ଟର କିଣିପାରେ।

ସୂଚନା ଥାଉ କି ତୁର୍କୀ ଆଟାକ ଟି-୧୨୯ ହେଲିକପ୍ଟରକୁ ଅଗଷ୍ଟା ୱେଷ୍ଟଲାଣ୍ଡ ସହ ମିଶି ବିକଶିତ କରିଛି।ପାକିସ୍ତାନ, ତୁର୍କୀଠାରୁ ଦୁଇଟି ଇଞ୍ଜିନ ଥିବା ଆଟାକ ଟି-୧୨୯ ହେଲିକପ୍ଟର କିଣିବାର ଥିଲା। ଏହି ହେଲିକପ୍ଟର ଯେକୌଣସି ପରିସ୍ଥିତିରେ ଆକ୍ରମଣ କରିବାକୁ ସକ୍ଷମ ହୋଇଥିବାବେଳେ ଏଥିରେ ଆମେରିକାର ଇଞ୍ଜିନ ଲାଗିଛି। ଆଉ ତୁର୍କୀ ପାଖରେ ଏହି ହେଲିକପ୍ଟରର ଆମେରିକୀୟ ଇଞ୍ଜିନକୁ ଅନ୍ୟ କାହାକୁ ବିକିବାର ଅଧିକାର ନାହିଁ।

ଆମେରିକା ଏହି ଲାଇସେନ୍ସ ଦେବାକୁ ମନା କରିଦେଇଥିବାରୁ ତୁର୍କୀ ହେଲିକପ୍ଟରକୁ ପାକିସ୍ତାନକୁ ବିକ୍ରି କରିପାରିବ ନାହିଁ | ସୂଚନା ମୁତାବକ ୨୦୧୮ ମସିହା ଜୁଲାଇ ମାସରେ ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଦେଢ଼ ବିଲିୟନ ଡଲାରରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା। ତେବେ ତୁର୍କୀ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଏଭଳି ମନୋଭାବ ଅନ୍ୟ ଦେଶକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରୁଛି।

Share This Article