ଭୁବନେଶ୍ବର: ଭୁବନେଶ୍ବରର ଏକ ନାମୀ କୋରିୟର୍ କାର୍ଯ୍ୟାଳୟ ଆଗରେ କିଛି ଉଚ୍ଚଶିକ୍ଷୀତ ଯୁବକ, ଯୁବତୀ ଗୋଟିଏ ଗୋଟିଏ ଲ୍ୟାପଟପ୍, ମୋବାଇଲ୍ ଫୋନ୍ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ବୁଝୁ ବୁଝୁ ଜଣାପଡ଼ିଥିଲା ଯେ ସେମାନେ କମ୍ପାନୀ ଦେଇଥିବା ଏସବୁ ସାମଗ୍ରୀ ଅଫିସ୍ ଠିକଣାରେ କୋରିୟର୍ କରିବା ପାଇଁ ସେଠାରେ ଛିଡ଼ା ହୋଇଛନ୍ତି। କାରଣ ଦୁଇ ମାସ ଧରି ଘରେ ଥାଇ କାମ କରୁଥିବା ଏହି ଯୁବକ, ଯୁବତୀଙ୍କୁ ସେମାନଙ୍କ କମ୍ପାନୀ ଚାକିରୀରୁ ବିଦା କରିଦେଇଛି। କରୋନା ପାଇଁ ଲକ୍ଡାଉନ୍ ଆଉ ଏହା ପ୍ରଭାବରେ ସମଗ୍ର ବିଶ୍ବରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏବେ ବିଭିନ୍ନ କମ୍ପାନୀରେ ଘନ ଘନ ଛଟେଇ ଚାଲିଛି।
ବିଶେଷ କରି ବିଭିନ୍ନ ଆଇଟି ଓ ଅନ୍ୟ କମ୍ପାନୀରେ ମୋଟା ଅଙ୍କର ଦରମା ପାଉଥିବା ଲୋକଙ୍କ ଚାକିରୀ ଯାଉଛି। ଆୟ ନଥିବାରୁ କମ୍ପାନୀ ଆଉ ଦରମା ଦେଇ ପାରିବ ନାହିଁ ଲେଖାଥିବା ମେଲ୍ ପହଞ୍ଚିଯାଉଛି ସେମାନଙ୍କ ପାଖରେ। ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବରରୁ ଦୈନିକ ହାରାହାରି ୪୦ରୁ ୫୦ ଲ୍ୟାପଟ୍ପ୍, ମୋବାଇଲ୍, ଫୋନ୍, ହାର୍ଡ ଡ୍ରାଇଭ୍, ପେନ୍ ଡ୍ରାଇଭ୍ ଏବଂ ଅନ୍ୟାନ୍ୟ ଇଲେେକ୍ଟ୍ରାନିକ୍ ଉପକରଣ କୋରିୟର୍ ହେଉଛି। ରାଜ୍ୟର ଅନ୍ୟ ସହରରୁ ମଧ୍ୟ ଅନୁରୂପ ଭାବେ କୋରିୟର୍ ଯାଉଛି। ୟୁନିଟ୍-୩ରେ ଥିବା ଏକ କୋରିୟର୍ ସଂସ୍ଥାର କର୍ମଚାରୀ କହନ୍ତି ଜୁନ୍ ପ୍ରଥମ ସପ୍ତାହ ପରଠାରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ଲ୍ୟାପ୍ଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ କୋରିୟର୍ କରିବାକୁ ଆସୁଛନ୍ତି। ଆମ ପାଖରୁ ଦିଲ୍ଲୀ, ନୋଏଡ଼ା, ଗୁଡ଼ଗାଓଁ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବଇ, ଭୋପାଲ, ଚେନ୍ନାଇ, ଗୋଆ ଭଳି ସହରକୁ ଜିନିଷ କୋରିୟର୍ ହେଉଛି। ଦିନକୁ ୪ରୁ ୫ ଜଣ ଯୁବକ ଯୁବତୀ ଲ୍ୟାପ୍ଟପ୍ ଓ ମୋବାଇଲ୍ ଫୋନ୍ କୋରିୟର୍ କରିବା ପାଇଁ ଆସୁଛନ୍ତି ବୋଲି ସେ କହିଛନ୍ତି।
ବେଙ୍ଗାଲୁରୁ ଠାରେ ଥିବା ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ୯୦ ହଜାର ଟଙ୍କା ଦରମା ପାଉଥିବା ଜଣେ ଯୁବକ କହିଛନ୍ତି ଲକ୍ ଡାଉନ୍ ଥିବାରୁ କମ୍ପାନୀ ଘରୁ ଥାଇ କାମ କରିବା ପାଇଁ କୁହାଯାଇ ଥିଲା। ତେଣୁ ଅଫିସ୍ ଦେଇଥିବା ଲ୍ୟାପ୍ଟପ୍ ସହିତ ଅନ୍ୟ କିଛି ଦାମୀ ସାମଗ୍ରୀ ଘରକୁ ନେଇ ଆସିଥିଲୁ। କିନ୍ତୁ ଆଜି ଏଠାକୁ ଏସବୁ ଜିନିଷ ଅଫିସ୍ ଠିକଣାରେ କୋରିୟର୍ କରିବା ପାଇଁ ଆସିଛୁ। ଏବେ ଏକ ଅନ୍ଧକାର ଭବିଷ୍ୟତ ନେଇ ବଞ୍ଚିବାକୁ ହେଉଛି ବୋଲି ସେ କ୍ଷୋଭର ସହ କହିଛନ୍ତି।
Comment