ଝିଅ ମାନଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫହେଲେ ସେଲ୍ଟର୍ ହୋମ୍ ଇନଚାର୍ଜ ! ଏମ୍ଡି ଫେରାର

Odisha Hot News
1 Min Read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବେଲଟିକିରି ସ୍ଥିତ ବେଆଇନ୍ ସେଲ୍ଟର୍ ହୋମ୍ ‘ଡ୍ରିମ୍ ସେଣ୍ଟର’ରେ ଝିଅମାନଙ୍କୁ ଯୌନ ନିର‌୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଏହିଘଟଣାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ଗତକାଲି ମିଳିତ ଭାବେ ଏଠାରେ ଚଢ଼ାଉ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲା ଭିତ୍ତିରେ ଢେଙ୍କାନାଳ ସଦର ଥାନା ପୁଲିସ୍ ସେଲଟରର ହୋମ ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ଗିରଫ କରାଯାଇଛି। ତେବେ ଆଉ ଜଣେ ଅଭିଯୁକ୍ତ ତଥା ସେଲ୍ଟର୍ ହୋମ୍ ଏମ୍ଡି ଫୟାଜ ରେହମାନ୍ ଫେରାର ହୋଇଯାଇଥିବା ଜଣାପଡିଛି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ସେପଟେ ‘ଡ୍ରିମ୍ ସେଣ୍ଟର’ ମୁଖ୍ୟ ହେଉଛନ୍ତି ଫୟାଜ୍ ରେହମାନ। ତାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍ଟର ହୋମର ଅନ୍ତେବାସୀମାନେ। ୨୦୧୨ ମସିହାରେ ଏହି ସେଲ୍ଟର ହୋମ୍ ଢେଙ୍କାନାଳ ସହରରେ ଚାଲିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା। ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ଏହାସତ୍ତ୍ୱେ ୨୦୧୬ରେ ଢେଙ୍କାନାଳ ନିକଟ ବେଲଟିକିରି ନାମକ ସ୍ଥାନର ଏକ ନିର୍ଜନ ଅଞ୍ଚଳରେ ଗଢ଼ି ଉଠିଥିଲା ଏହି ସେଲ୍ଟରର୍ ହୋମ୍। ଏଥିରେ ଏବେ ୫୪ ଜଣ ନାବାଳିକା ଓ ୪୦ ଜଣ ନାବାଳକ ରହୁଛନ୍ତି।

Share This Article
Leave a Comment