ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

Odisha Hot News
1 Min Read

ପୁରୀ  : ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି। ୩୮୯ କୋଟି ମୂଳଜମା ସହ ୮ କୋଟି ୨୩ ଲକ୍ଷର ସୁଧ ଟଙ୍କା ମିଳିଛି। ଏହାଛଡ଼ା ଆସନ୍ତା ୩୦ ତାରିଖରେ ବାକି ୧୫୬ କୋଟି ଟଙ୍କା ମାଚ୍ୟୁରିଟି ହେଉଛି। ଏହାପରେ ଉକ୍ତ ଟଙ୍କା ମଧ୍ୟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ୟେସ୍‌ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯିବାକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଗତବର୍ଷ ପର୍ଯ୍ୟାୟକ୍ରମେ ଏହି ଟଙ୍କା ଜମା କରାଯାଇଥିଲା। ସେଥିମଧ୍ୟରୁ ଗୁରୁବାର ୩୮୯ କୋଟି ଏବଂ ଆସନ୍ତା ୩୦ ତାରିଖରେ ୧୫୬ କୋଟି ଟଙ୍କା ମାଚ୍ୟୁରିଟି ହେଉଛି। କିନ୍ତୁ ଗୁରୁବାର ସମସ୍ତ ଟଙ୍କା ଫେରାଇ ଅଣାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଥିଲେ। ପରବର୍ତ୍ତୀ ସମୟରେ କେଉଁ ବ୍ୟାଙ୍କରେ ଏହା ଜମା କରାଯିବ ନିଷ୍ପତ୍ତି ନିଆଯିବ ତାହା ସ୍ପଷ୍ଟ ହେବ ବୋଲି ସେ କହିଥିଲେ।

ପ୍ରକାଶ ଯେ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଲଗାଇବା ପରେ ମହାପ୍ରଭୁଙ୍କ ଟଙ୍କା ଫେରିବା ନେଇ ଆଶଙ୍କା ଉପୁଜିଥିଲା। ଏହି ଘରୋଇ ବ୍ୟାଙ୍କରୁ ଏତେ ଟଙ୍କା କିଭଳି ଫେରସ୍ତ ଅଣାଯିବ ତାହାକୁ ନେଇ ବୁଦ୍ଧିଜୀବୀ, ସେବାୟତ ଓ ଜଗନ୍ନାଥପ୍ରେମୀ ସନ୍ଦେହରେ ରହିଥିଲେ। ଶେଷରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଉଛି।

Share This Article
Leave a Comment