ପଦୋନ୍ନତି ପାଇଥିବା ୨୧ ଜଣ କୃଷି ଅଧିକାରୀଙ୍କୁ କୃଷିମନ୍ତ୍ରୀଙ୍କ ଛାଟ

Odisha Hot News
2 Min Read

ଭୁବନେଶ୍ବର: ଜିଲ୍ଲାରୁ ଡେପୁଟେସନ୍‌ରେ ଆସି କାମ କରୁନ, ନିର୍ଦ୍ଦେଶାଳୟରେ ବସି ଖଟି କରୁଛ। ଏବେ ପଦୋନ୍ନତି ପାଇବା ପରେ ପୁଣି ଥରେ ରାଜଧାନୀରେ ରହିବାକୁ ଲବି କରୁଛ। ଆଉ ଭୁବନେଶ୍ବରରେ ଡେରା ନ ପକାଇ ନିଯୁକ୍ତି ମିଳିଥିବା ନୂତନ ପଦବିରେ ଯୋଗଦିଅ। ନଚେତ୍‌ ହେବ କାର୍ଯ୍ୟାନୁଷ୍ଠାନ। କୃଷି ନିର୍ଦ୍ଦେଶାଳୟରେ ସହକାରୀ କୃଷି ଅଧିକାରୀ (ଏଏଓ)ରୁ ବ୍ଲକ୍‌ କୃଷି ଅଧିକାରୀ (ବିଏଓ) ପଦବିକୁ ପଦୋନ୍ନତି ପାଇଥିବା ୨୧ ଜଣ କୃଷି ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏ ନେଇ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡେପୁଟେସନ୍‌ରେ ଆସିଥିବା ଏସବୁ କୃଷି ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟପଟେ ଏଏଓ ପଦବିରୁ ବିଏଓକୁ ପଦୋନ୍ନତି ପାଇଥିବା ୨୭୨ ଜଣ କୃଷି ଅଧିକାରୀଙ୍କୁ ୩ ଦିନ ଭିତରେ ଦାୟିତ୍ବମୁକ୍ତ କରିବାକୁ ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ଏମ୍‌ଡି ଆପିକଲ, ଇମେଜ୍‌ ନିର୍ଦ୍ଦେଶକ ଓ କୃଷି ବିଭାଗର ଅନ୍ୟ ସମ୍ପର୍କିତ ସଂସ୍ଥା ମୁଖ୍ୟଙ୍କୁ ଚିଠି ଲେଖାଯାଇଛି।

କୃଷି ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ମୁତାବକ, ପୁରୀ, ଖୋର୍ଦ୍ଧା, ଭଞ୍ଜନଗର, ଆଠମଲ୍ଲିକ, ପଟ୍ଟାମୁଣ୍ଡାଇ, କେନ୍ଦୁଝର, ବରଗଡ଼, ଭୁବନେଶ୍ବର, ଆସିକା, କାମାକ୍ଷନଗର, ନୟାଗଡ଼, ବାଲିଗୁଡ଼ା, ସୁବର୍ଣ୍ଣପୁର କୃଷି ଡିଭିଜନର ୨୧ ଜଣ ଅଧିକାରୀଙ୍କୁ ଗତ ୧ ତାରିଖରୁ ଦାୟିତ୍ବ ମୁକ୍ତ କରାଯାଇଛି। ସେମାନେ ହେଲେ ବିଏଓ ଅଂଶୁମାନ୍‌ ପଟ୍ଟନାୟକ, ରାମଚନ୍ଦ୍ର ନାୟକ, କେଙ୍ଗୁଆ ରାମଶଙ୍କର ରାଓ, ପ୍ରମିଲ୍‌ କୁମାର ସ୍ବାଇଁ, ସଞ୍ଜୟ କୁମାର ପାଣି, ପୂର୍ଣ୍ଣ ଚନ୍ଦ୍ର ସାହୁ, ପୁରୁଷୋତ୍ତମ ସାହୁ, ତରୁଣ କୁମାର ଛୋଟ୍ଟରାୟ, ବସନ୍ତ କୁମାର ଦେ, ନନ୍ଦିନୀ ଦଳାଇ, ବିଜୟ କୁମାର ସାମଲ, କିଶୋର ଦାଶ, ପ୍ରଦୀପ୍ତ କୁମାର ସାହୁ, ତ୍ରିନାଥ ପାଣିଗ୍ରାହୀ, ନୀଳମାଧବ ଚାନ୍ଦ୍‌, ଦିପ୍ତୀକାନ୍ତ ରାଉତରାୟ, ବିଭୁତି ଭୂଷଣ ମହାନ୍ତି, ବାବାଜୀ ଚରଣ ବେହେରା, ବସନ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ସ୍ବାଇଁ ଓ ରବୀନ୍ଦ୍ର ନାଥ ପଣ୍ଡା। ଗତବର୍ଷ ଡିସେମ୍ବର ପହିଲାରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ ମୋ ସରକାର’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ବିଭାଗରେ ମୋ ସରକାର ବ୍ୟବସ୍ଥା ଲାଗୁ ହେବା ଦିନ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଫଳରେ ଚାଷୀ ଓ ଲୋକଙ୍କ ମତାମତ ଆଧାରରେ ବିଭାଗର କାର୍ଯ୍ୟଦକ୍ଷତା ଆକଳନ କରିହେବ। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧ୍ୟ ମୋ ସରକାର ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏତେସବୁ ପରେ ବି କେତେକ ଅଧିକାରୀମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିନଥିଲା।

Share This Article
Leave a Comment