ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି

Odisha Hot News
1 Min Read

କେନ୍ଦ୍ରାପଡ଼ା: ଶନିବାର ରାତିରେ ବିଶିଷ୍ଟ ରାଜନେତା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ପରଲୋକ ଗମନ କରିଛନ୍ତି।

ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଜଣାଶୁଣା ଭାଗବତ ପ୍ରସାଦ ମହାନ୍ତି କେନ୍ଦ୍ରାପଡ଼ାର ବିଧାୟକ ଭାବେ ସେ ତିନି ଥର ନିର୍ବାଚିତ ହୋଇଥିଲେ। ଏଥିସହ ସେ ପ୍ରଥମେ ୧୯୮୯ ମସିହାରେ ରାଜସ୍ବ ଓ ଅବକାରୀ ମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା, ଅର୍ଥ ଓ ସାଧାରଣ ଅଭିଯୋଗ ଆଦି ବିଭାଗର ମନ୍ତ୍ରୀ ହୋଇଥିଲେ।

‘ଭାଗବତବାବୁ’ ଭାବେ ସୁପରିଚିତ ଏହି ରାଜନେତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ରାଜନୈତିକ ଇତିହାସର ଗୋଟାଏ ଦୀର୍ଘ ଯୁଗର ଅବସାନ ଘଟିଛି। ସମ୍ପ୍ରତି ସେ କେନ୍ଦ୍ରାପଡ଼ା ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌ର ସଭାପତି ଥିଲେ।

ଛାତ୍ର ଜୀବନରେ ସେ ୧୯୪୯-୬୦ ମସିହା ଯାଏଁ ‘କିଷାନ ସତ୍ୟାଗ୍ରହ ଆନ୍ଦୋଳନ’ରେ ଯୋଗ ଦେଇ ‘ଭୂସଂସ୍କାର ଆନ୍ଦୋଳନ’ ପାଇଁ ଲଢ଼ିଥିଲେ। ରାଜ୍ୟର ସମବାୟ ଆନ୍ଦୋଳନରେ ମଧ୍ୟ ତାଙ୍କର ସମ୍ପୃକ୍ତିଥିଲା। ୧୯୭୧ ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

ସେ କେନ୍ଦ୍ରାପଡ଼ା ମୁନିସିପାଲିଟିର କାଉନ୍‌ସିଲର ଓ ରାଜ୍ୟ ଆଇନ ସଂଶୋଧନ କମିଟିର ସଦସ୍ୟ ମଧ୍ୟ ଥିଲେ। ୧୯୬୯ ମସିହାରେ ସେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ।

Share This Article
Leave a Comment