ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ :ସଞ୍ଜୟ ରାଉତ

Odisha Hot News
1 Min Read

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ ଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟରେ ଶିବସେନାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଠନ କରାଯିବ ବୋଲି ସଞ୍ଜୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। ତେବେ କଂଗ୍ରେସ, ଏନ୍‌ସିପି ଏବଂ ଅନ୍ୟ ଛୋଟ ଛୋଟ ଦଳଙ୍କ ସହିତ ମିଶି ଶିବସେନା ସରକାର ଗଠନ କରିବାର ଆଶା ଥିବା ସଞ୍ଜୟ କହିଛନ୍ତି।

ଶିବସେନା ଏବେ ଯଦି ବିଜେପିଠୁ ଅଲଗା ହୋଇ ସରକାର ଗଢିବାକୁ ଚାହେଁ ତାହେଲେ ଆପେ ଆପେ ସରକାର ଗଠନର ଚାବିକାଠି ଶରଦ ପାୱାର ଓ ସୋନିଆ ଗାନ୍ଧୀଙ୍କ ହାତକୁ ଚାଲି ଆସିବ। ବିରୋଧୀ ଦଳରେ ବସିବାକୁ ନୈତିକ ଭାବରେ ପ୍ରସ୍ତୁତ ଥିବା ଏନସିପି ଓ କଂଗ୍ରେସ ଶିବସେନାକୁ ସମର୍ଥନ ଦେବେ କି ନାହିଁ, ତାହା ଏକ ଜଟିଳ ପ୍ରଶ୍ନ। ସାମ୍ପ୍ରଦାୟିକ ରାଜନୀତିରେ ଶିବସେନା ଓ ବିଜେପି ଉଭୟେ ଅଭିଜ୍ଞ ଓ ଏମାନଙ୍କ ପ୍ରତି କଂଗ୍ରେସର ସ୍ଵାଭାବିକ ସନ୍ଦେହ ରହିଛି। ଶିବସେନାକୁ ସରକାର ଲାଗି ସମର୍ଥନ ଦେବା କଂଗ୍ରେସ ପାଇଁ ଏକ ବଡ ବୈଚାରିକ ସଙ୍କଟ ସୃଷ୍ଟି କରିବ।

ହେଲେ ରାଜନୈତିକ ବାସ୍ତବତାକୁ ଆଖି ଆଗରେ ରଖି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାର ସୁଯୋଗ ମିଳିଲେ ତାକୁ କଂଗ୍ରେସ ବା ଏନସିପି ହାତଛଡା କରିବେ ନାହିଁ। ନିଜ ପକ୍ଷରେ ସଂଖ୍ୟାମତ ନଥାଇ ମଧ୍ୟ ମହାରାଷ୍ଟ୍ରରେ ନିଜର ବିଜୟ ଉତ୍ସବ ପାଳନ କରିସାରିଥିବା ବିଜେପି ଏବେ ଶିଶୁପାଳ ହେବା ଅବସ୍ଥାକୁ ଆସିଯାଇଛି। “ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି” ବୋଲି ଦେବେନ୍ଦ୍ର ଫଡନବିସଙ୍କ ଜିଦ ଯୋଗୁଁ ଏବେ ବିଜେପି ଅଧିକରୁ ଅଧିକ ସଙ୍କଟର ସାମ୍ନା କରୁଛି।

ସୂଚନାଯୋଗ୍ୟ, ଏନସିପି ପାଖରେ ୫୪ ବିଧାୟକ ଥିବାବେଳେ କଂଗ୍ରେସ ପାଖରେ ୪୪ ବିଧାୟକ ରହିଛନ୍ତି।

Share This Article
Leave a Comment