ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା: ସେବା ଯୋଗାଇବାକୁ ମନା କଲେ ୩ଶହ ନର୍ସିଂହୋମ

Odisha Hot News
1 Min Read

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜୋରଦାର ଝଟକା ଲାଗିଛି। ସ୍ବାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ବୁଧବାର ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ୍‌ ବୁଧବାର ଘୋଷଣା କରିଛନ୍ତି। ସରକାର ଠିକ୍‌ ସମୟରେ ବୀମା ଟଙ୍କା ଦେଉ ନ ଥିବା ବେଳେ ସୁରକ୍ଷା ଓ ପଞ୍ଜିକରଣ ନୀତି କୋହଳ କରିବାକୁ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି।

ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ, ସରକାରୀ ମେଡିକାଲ ସହ ପ୍ରାୟ ୩୦୦ ନର୍ସିଂହୋମ ଅନୁବନ୍ଧିତ ଥିଲେ। ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେମାନେ ଅନୁବନ୍ଧିତ ଥିଲେ। ହେଲେ ୨୦୧୭ରୁ ରାଜ୍ୟ ସରକାର ସେମାନଙ୍କ ବକେୟା ଦେଇ ନାହାନ୍ତି। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସଂଘ ଅଭିଯୋଗ ଆଣିଛି। ପ୍ରକାଶଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି।

Share This Article
Leave a Comment