ବିଜେପୁର ଉପ-ନିର୍ବାଚନ କାହା ଭାଗ୍ୟରେ

Odisha Hot News
2 Min Read

ବରଗଡ଼ : ନାମାଙ୍କନ ସରିଲା। ଯାଂଚ ପରେ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଲା। କିନ୍ତୁ କୌଣସି ଦଳ ଖୋଲା ପ୍ରଚାର ପାଇଁ ଏବେ ମଇଦାନକୁ ଆସିନାହାନ୍ତି। କାଳେ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀମାନେ ବିଦ୍ରୋହ କରିବେ, ଏହାର ବ‌ାଟ ଖୋଜିବା ପାଇଁ ରୁଦ୍ଧଦ୍ବାର ବୈଠକ ଚାଲିଛି। ତୁଙ୍ଗ ନେତାମାନେ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ନି‌ରୋଳାରେ ସାକ୍ଷାତ ଆରମ୍ଭ କଲେଣି। ପ୍ରଚାର ପୂର୍ବରୁ ଅସନ୍ତୁ‌ଷ୍ଟ ଆଶାୟୀଙ୍କୁ ଥଇଥାନ କରିବା କିମ୍ବା କୌଣସି ପ୍ରକାରେ ନିର୍ବାଚନ ସରିବା ଯାଏଁ ଚୁପ୍‌ ରହିବା ଏବେ ପ୍ରମୁଖ ଦଳଗୁଡ଼ିକର ମୁଖ୍ୟ ଏଜେଣ୍ଡା ପାଲଟି ଯାଇଛି। ବିଜେଡି ଶିବିରରେ ପୂର୍ବରୁ ପାଖାପାଖି ଗୋଟିଏ ଡଜନ୍‌ ଆଶାୟୀ ଥିଲେ। ରୀତା ସାହୁଙ୍କ ନାମ ଚୂଡ଼ାନ୍ତ ହେବା ପରେ ଆଶାୟୀମାନେ ଏଯାଏ ଚୁପ୍‌ ଅଛନ୍ତି। ନାମାଙ୍କନ ଦାଖଲ ବେଳେ ସେମାନେ ଉପସ୍ଥିତ ଥିଲେ କେବଳ ଦୋଷ ଛଡ଼ାଇବା ପାଇଁ। ରୀତାଙ୍କ ନାମ ଘୋଷଣା ପରେ ଏବଂ ନାମାଙ୍କନ ଦାଖଲ ପୂର୍ବରୁ ମନଉଣା କରିଥିବା କିଛି ଆଶାୟୀଙ୍କୁ ରାତିରେ ମନାଇବା ପାଇଁ ପ୍ରୟାସ ହୋଇଥିବା ଜଣାପଡ଼ିଛି। ବରପାଲିଠାରେ ବିଜେଡିର କିଛି ତୁଙ୍ଗ ନେତା ଏହି ଦାୟିତ୍ବ ତୁଲାଇଥିବା କୁହାଯାଉଛି। କିଛି ଅସନ୍ତୁଷ୍ଟଙ୍କୁ ସୋମବାର ରାତିରେ ଡାକି ବରଗଡ଼ରେ ମଧ୍ୟ ଆଲୋଚନା ହୋଇଛି।

ବିଜେପି ମଧ୍ୟ ସମାନ ସ୍ଥିତି ମଧ୍ୟରେ ଗତି କରୁଛି। ଉପନିର୍ବାଚନ ତାରିଖ ଘୋଷଣା ହେବା ଢେର ପୂର୍ବରୁ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ମୁହଁ ଖୋଲିଥିଲେ। ‌ପରୋକ୍ଷରେ ଦଳୀୟ ଟିକଟ୍‌ ପାଇଁ ସେ ନିଜ ପକ୍ଷ ରଖିଥିଲେ। କହିଥିଲେ, ଗତ ଉପନିର୍ବାଚନ ବେଳେ ତାଙ୍କୁ ଦଳ ଭରସା ଦେଇଥିଲା। ବିଜୟ ହେଉକି ପରାଜୟ, ତାଙ୍କୁ ସାଧାରଣ ନିର୍ବାଚନ ବେଳେ ପୁଣି ଟିକଟ୍‌ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାଙ୍କୁ ଟିକଟ୍‌ରୁ ବାଦ୍‌ ଦିଆଯାଇଥିଲା। ସାଧାରଣ ନିର୍ବାଚନରେ ସନତ ଗଡ଼ତିଆଙ୍କ ପରାଜୟ ପରେ ଉପନିର୍ବାଚନ ବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ପୁଣିଥରେ ଟିକଟ୍‌ ମିଳିବ ବୋଲି ସମର୍ଥକମାନେ ଆଶା ବାନ୍ଧିଥିଲେ। ଶ୍ରୀ ପାଣିଗ୍ରାହୀଙ୍କୁ ନାମାଙ୍କନ ଦାଖଲ ବେଳେ ପଦ୍ମପୁରରେ ଦେଖିବାକୁ ମିଳିନଥିଲା। ସମ୍ଭବତଃ ସେ ଦଳ ଉପରେ ଖପା ଥିବା ଚର୍ଚ୍ଚା ହେଉଛି। ଏନେଇ ତାଙ୍କୁ ଯୋଗାଯୋଗ କରିବାରୁ ସେ ଉପଲବ୍ଧ ନଥିଲେ। ତେବେ ଶ୍ରୀ ପାଣିଗ୍ରାହୀ ଏବଂ ତାଙ୍କ ସଂଗଠନ ଉପନିର୍ବାଚନ ବେଳେ କେଉଁ ରଣନୀତି ବ୍ୟବହାର କରିବ, ତାହା ଦଳ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି।

Share This Article
Leave a Comment