୧୮ରେ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

Odisha Hot News
2 Min Read

ଭୁବନେଶ୍ବର : ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ ‘ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ’। ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍ ଓଡ଼ିଶା (ହାରୋ) ପକ୍ଷରୁ ସ୍ବସ୍ତି ପ୍ରିମିୟମ୍‌ରେ ଏହି ୪ର୍ଥ ପର୍ଯ୍ୟଟନ କନ୍‌କ୍ଲେଭ୍‌ ବା ସମ୍ମିଳନୀ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥର ବିଷୟବସ୍ତୁ ରହିଛି ‘ପର୍ଯ୍ୟଟନ ରାଜ୍ୟ ଅର୍ଥନୀତିର ପ୍ରେରକ ଶକ୍ତି’। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରୁ ଧୂରୀଣ ବ୍ୟକ୍ତିବିଶେଷ ଯଥା ଟ୍ରାଭେଲ୍ ବ୍ୟବସାୟ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଗଣମାଧ୍ୟମ, କଳାକାର, ବ୍ଲଗର୍ସ, ସୃଜନଶୀଳ ଲେଖକ, ଦୁଃସାହସ କ୍ରୀଡ଼ା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ଏୟାରଲାଇନ୍ସ, ଡିଜିଟାଲ୍ ମାର୍କେଟିଂ ଓ ବ୍ରାଣ୍ଡିଂ ସଂସ୍ଥା, ଖାଦ୍ୟ ବିଶେଷଜ୍ଞ, ଫିଲ୍ମ ନିର୍ମାତା, ଜୈବ ପର୍ଯ୍ୟଟନପ୍ରେମୀ, ସଂଗଠକ, ପ୍ରଶାସକମାନେ ଏହି ସମ୍ମିଳନୀରେ ଆଲୋଚନା କରିବେ।

ଏହି ଅବସରରେ ବ୍ରାଣ୍ଡିଂ ଓଡ଼ିଶା, ଓଡ଼ିଶାର ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟକୁ ବିଶ୍ବ ଦୃଷ୍ଟିକୋଣ ସହ ଯୋଡ଼ିବା, ଓଡ଼ିଶାକୁ ବିଶ୍ବ ସହ ଯୋଡ଼ିବା, ପର୍ଯ୍ୟଟନ ପ୍ରଚାରପ୍ରସାରରେ ଡିଜିଟାଲ୍‌ ମିଡିଆର ଭୂମିକାକୁ ବିସ୍ତୃତ କରିବା, ଓଡ଼ିଶାର ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ବୃଦ୍ଧି ଆଦି ବିଷୟ ଉପରେ ଆଲୋଚନା ହେବ। ଓଡ଼ିଶା ପର୍ଯ୍ୟଟନକୁ ବିଶ୍ବ ବଜାରରେ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ାଯିବ। ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନ‌ୀରେ ଉପସ୍ଥିତ ‘‌ହାରୋ’ର ଚେୟାରମ୍ୟାନ୍‌ ଜେ.କେ ମହାନ୍ତି କହିଛନ୍ତି, ଚଳିତ ବର୍ଷ ଆଡ୍‌ଭେଞ୍ଚର ଟୁର୍‌ ଅପରେଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ, ଆସୋସିଏସନ୍‌ ଅଫ୍‌ ଡୋମେ‌ଷ୍ଟିକ୍‌ ଟୁର୍‌ ଅପରେଟର୍ସ ଅଫ୍‌ ଇଣ୍ଡିଆ, ଇଣ୍ଡିଆ ଗଲ୍‌ଫ ଟୁରିଜିମ୍‌ ଆସୋସିଏସନ୍ ଚଳିତ ବର୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଫଳରେ ସେମାନେ ଓଡ଼ିଶା ସଂକ୍ରାନ୍ତରେ ସାହସିକ କ୍ରୀଡ଼ା, ଦେଶୀୟ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଏବଂ ଗଲ୍‌ଫ ଟୁରିଜିମ୍‌ ସହ ଟ୍ରାଭେଲ୍‌ ସମ୍ବନ୍ଧୀୟ ବିଷୟରେ ଉଚିତ୍‌ ମାର୍ଗଦର୍ଶନ କରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ପେଟ୍ରୋ‌ଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବେ ବୋଲି ସେ କହିଛନ୍ତି।

ପୂର୍ବ ପର୍ଯ୍ୟଟନ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ସକୁ ସରକାର ଗୁରୁତ୍ବାରୋପ ପୂର୍ବକ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତେଣୁ ୩ୟ ସମ୍ମିଳନୀର ଆଲୋଚନା ପୂର୍ବକ ଆସନ୍ତା ୫ବର୍ଷ ପାଇଁ ପର୍ଯ୍ୟଟନ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତି, ଅଧିକ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ, ଶାମୁକା ବିଚ୍‌ରେ ଭିତ୍ତିଭୂମିର ବିକାଶ, ପର୍ଯ୍ୟଟନସ୍ଥଳୀରେ ତାରକା ଶ୍ରେଣୀର ହୋଟେଲ୍‌ ସ୍ଥାପନ, ଚିଲିକାକୁ ଅନ୍ତର୍ଜାତୀୟ ଜଳ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ଏବଂ ଶାମୁକା ପ୍ରକଳ୍ପକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଶ୍ରୀ ମହାନ୍ତିଙ୍କ ସମେତ ହାରୋର ଉପାଧ୍ୟକ୍ଷ ଜୋନାଥନ୍‌ ରାଉଲ୍‌, ସେକ୍ରେଟାରି ଜେନେରାଲ୍‌ ଶ୍ରୀନିବାସ ସୁବୁଦ୍ଧି, କୋଷାଧ୍ୟକ୍ଷ ସୁଜିତ କୁମାର ମହାପାତ୍ର, ମିଲିନ୍ଦ ଗୁପ୍ତା, ମିଲନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଥିଲେ।

Share This Article
Leave a Comment