ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ

Odisha Hot News
1 Min Read

ଭୁବନେଶ୍ୱର : ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଛି। ସେମାନେ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇ ଯଦୁପୁରରେ ଲୁଚାଇ ରଖିଥିଲେ। ଉକ୍ତ ଗାଡ଼ିକୁ ମଧ୍ୟ ପାହାଳ ବ୍ୟାଙ୍କ ଲୁଟ୍‌ ଘଟଣାରେ ବ୍ୟବହାର କରାଯାଇଥିବା ନେଇ ପୋଲିସ ପ୍ରମାଣ ପାଇଛି। ଧରାପଡ଼ିଥିବା ୨ ବ୍ୟକ୍ତିଙ୍କୁ ପୋଲିସ ଏହି ଗାଡ଼ି ଲୁଟ୍‌ ପଛର ର଼୍ୟାକେଟ୍‌ ସମ୍ପର୍କରେ ପଚରାଉଚରା କରୁଛି। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଥିଲେ ଏବଂ କେଉଁଠି ଆତ୍ମଗୋପନ କରିଛନ୍ତି, ସେ ନେଇ ମଧ୍ୟ ପଚରାଉଚରା କରୁଥିବା ବେଳେ ଫେରାର୍‌ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।
ସୂଚନାନୁଯାୟୀ, ଗତ ସପ୍ତାହରେ ଜଣେ ବ୍ୟକ୍ତି ଇନୋଭା ନେଇ ଖଣ୍ଡଗିରି ଦେଇ ଯାଉଥିବା ବେଳେ ୬ଜଣ ଯୁବକ ଗାଡ଼ି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି ଲୁଟି ନେଇଥିଲେ। ଏହି ସମୟରେ ଗାଡି ଡ୍ରାଇଭର ୧୦୦ ନମ୍ବରକୁ ଫୋନ୍‌ କରିବା ପରେ ପିସିଆର୍‌ ଭ୍ୟାନ ଉକ୍ତ ଇନୋଭାକୁ ପିଛା କରିଥିଲା। ହେଲେ ଯୁବକମାନେ ଜଙ୍କିଆ ଅଭିମୁଖେ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ପୋଲିସ କମିଶନର ଗୁରୁତ୍ୱର ନେଇ ସ୍ପେଶାଲ ସ୍କ୍ବାଡକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ କରି ଯଦୁପୁରରୁ ଗାଡ଼ି ଠାବ କରିବା ସହ ୨ଜଣଙ୍କୁ କାବୁ କରିଛି।

Share This Article
Leave a Comment