ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ, ପ୍ରାର୍ଥିପତ୍ର ରଦ୍ଦ କରିବାକୁ ସିଇଓଙ୍କୁ ବିଜେଡି ସ୍ମାରକପତ୍ର

Odisha Hot News
2 Min Read

ଭୁବନେଶ୍ବର : କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା-ବିଜେପି ମିଳିତ ଭାବେ ସେମାନଙ୍କୁ ଠକିବାକୁ ଚକ୍ରାନ୍ତ କରିଛନ୍ତି ବୋଲି ବିଜେଡି କହିଛି। ଏହା ସହ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଦାବି କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି  କହିଛନ୍ତି, ଇମ୍ଫା ମାଇନିଂ କମ୍ପାନିର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନ ସତ୍ୟପାଠରେ ତାହାକୁ ଲୁଚାଇଥିଲେ। ଚଳିତ ନିର୍ବାଚନ ସତ୍ୟପାଠରେ ତାହା ଉଲ୍ଲେଖ କରି ଧରାପଡ଼ିଲେ। ଏହା ମାମୁଲି ଘଟଣା ନୁହେଁ। ଏପରି ଠକେଇ ଜରିଆରେ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା କରଛନ୍ତି। ଆଶ୍ଚର୍ଯ୍ୟର କଥା, ବିଜେପି ଏହା ଉପରେ ଖାଲି ଚୁପ୍ ନାହିଁ, ବରଂ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀ କରିଛି। ଉଭୟ ବୈଜୟନ୍ତ ଓ ବିଜେପି କେନ୍ଦ୍ରାପଡ଼ାବାସୀଙ୍କୁ ଠକିବାକୁ ଚାହିଁଛନ୍ତି। ‌େଛାଟ ଛୋଟ କଥାରେ ସାମ୍ବାଦିକ ସମ୍ମିଳନୀ ଓ ଟିଭିରେ ବାଇଟ୍‌ ଦେଉଥିବା ବିଜେପି ନେତାମାନେ ବୈଜୟନ୍ତଙ୍କ ଠକେଇ ପ୍ରସଙ୍ଗରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରିବା ଓ ସେମାନଙ୍କ ନେତା ଧ‌େର୍ମନ୍ଦ୍ର ପ୍ରଧାନଙ୍କ ପାଟି ନ ଖୋଲିବା ପଛରେ ଗୋଟିଏ ବଡ଼ କାରଣ ରହିଛି। ଧ‌େର୍ମନ୍ଦ୍ର ଜାଣିଛନ୍ତି ଯେ ବୈଜୟନ୍ତଙ୍କ ଠକେଇ ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କ ନିଜର ଅପରାଧ ଲିଙ୍କ୍ ଧରାପଡ଼ିଯିବ। ଗ୍ୟାଙ୍ଗଷ୍ଟର୍ ଟିଟୋ ଓ ଡି-ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର ଗୁମର ପଦାକୁ ଚାଲି ଆସିବ। ତେଣୁ ଧର୍ମେନ୍ଦ୍ର ଓ ତାଙ୍କ ବିଜେପି ଚୁପ୍ ରହି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତଙ୍କ ଠକେଇକୁ ସମର୍ଥନ କରୁଛନ୍ତି। ବିଜେପି ଜରିଆରେ ବୈଜୟନ୍ତ ତାଙ୍କ ମାଇନିଂ କମ୍ପାନି ପାଇଁ ବ୍ୟବସାୟିକ ସ୍ବାର୍ଥ ହାସଲ ହାସଲ କରିବେ ଏବଂ ପ୍ରତି ବଦଳରେ ବୈଜୟନ୍ତଙ୍କ ମିଡିଆ କଳ ଧର୍ମେନ୍ଦ୍ରଙ୍କ ଅପରାଧ ଲିଙ୍କ୍ ପଦାକୁ ଆଣିବନି ବୋଲି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଛି। କେନ୍ଦ୍ରାପଡ଼ାବାସୀ ଏହାକୁ ଭଲ ଭାବେ ଅନୁଭବ କରିବାର ବେଳ ଆସିଛି। ୨୦୧୮ ମସିହାରେ କେନ୍ଦ୍ରାପଡ଼ାବାସୀ ଏହାକୁ ଅନୁଭବ କରି ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ବିରୋଧରେ କୋର୍ଟରେ ମାମଲା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଉ ଥରେ ଠକାମୀର ଶିକାର ହେବାକୁ ସେମାନେ ଡବଲ୍‌-ବିକୁ ସୁଯୋଗ ଦେବେ ନାହିଁ ବୋଲି ବିଜେଡି କହିଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସିଇଓଙ୍କୁ ବିଜେଡି ଏକ ଦାବିପତ୍ର ପ୍ରଦାନ କରି ଏହି ଘଟଣା ସମ୍ପର୍କରେ ଅବଗତ କରାଇଛି। ବୈଜୟନ୍ତ ୨୦୧୪ରେ ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ଏବଂ ତାଙ୍କ ନାମରେ ମିଥ୍ୟା ସତ୍ୟପାଠର ଅପରାଧିକ ମାମଲା ଚାଲୁ ରହିଥିବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଉ। କେନ୍ଦ୍ରାପଡ଼ାର ଭୋଟର୍‌ମାନଙ୍କୁ ଠକିବାକୁ ଏପରି ବ୍ୟକ୍ତିଙ୍କୁ ଆଉ ଥରେ ସୁଯୋଗ ଦିଆ ନ ଯାଉ ବୋଲି ବିଜେଡି ଦାବିପତ୍ରରେ ଦର୍ଶାଇଛି।
Share This Article
Leave a Comment