ସୋନପୁର ଓ ବୌଦ୍ଧ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା : କାଳିଆ ଯୋଜନା ବନ୍ଦ ପାଇଁ ଚକ୍ରାନ୍ତ କରୁଛି ବିଜେପି

Odisha Hot News
2 Min Read

ସୋନପୁର : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଯାଇ ଦଳୀୟ ପ୍ରା‌ର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସୋନପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିନିକା ବ୍ଲକର ସିଆଲି ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ‌କହିଛନ୍ତି, କାଳିଆ ଯୋଜନାରେ ରାଜ୍ୟରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବାବେଳେ ଏବେ ଏହି ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ଯେଉଁ ଦିନ ମୁଖ୍ୟମନ୍ତ୍ରୀ ଭାବରେ ପୁଣି ଶପଥ ନେବି ସେହିଦିନ କାଳିଆ ଯୋଜନାର ସହାୟତା ପାଇନଥିବା ଚାଷୀଙ୍କ ଦୁଇ କିସ୍ତି ଅର୍ଥ ରାଶି ଯୋଗାଇ ଦିଆଯିବ। ସେହିପରି କେନ୍ଦ୍ର ସରକାର କେବିକେ ଯୋଜନା ପାଇଁ ମଧ୍ୟ ଅନୁଦାନ ବନ୍ଦ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ରର ବିଜେପି ସରକାର ବୁଣାକାରମାନଙ୍କ ଉପରେ ଜିଏସଟି ଲଦି ଦେଇଛି। ମହାନଦୀ ପାଣି ବନ୍ଦ ପାଇଁ ଛତିଶଗଡ଼ ସରକାରକୁ ଭିତିରି ସମର୍ଥନ ଦେଇଥିଲା ବୋଲି କହିଥିଲେ। ଏଥର କେନ୍ଦ୍ରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ତେଣୁ କେନ୍ଦ୍ର ସରକାର ଗଠନରେ ବିଜେଡିର ବଡ଼ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ବିଜେଡିର ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସଭାରେ ବିଜେଡିର ବଲାଙ୍ଗୀର ଲୋକସଭା ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଭୋଟ ଭିକ୍ଷା କରିଥିଲେ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ବାଉଁଶୁଣି ଓ ବୌଦ୍ଧ ନିର୍ବାଚନମଣ୍ଡଳୀ ପୁରୁଣାକଟକଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ‌ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର। ଶେଷ ନିଶ୍ବାସ ଥିବା ଯାଏ ଓଡ଼ିଆଙ୍କ ସେବା କରିବି । ବାଉଁଶୁଣୀରେ ଆୟୋଜିତ ସଭାରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ ମହିଧର ରଣା ଏବଂ ସାଂସଦ ପ୍ରାର୍ଥୀ ଶ୍ରୀ ସାମନ୍ତଙ୍କ ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତଙ୍କୁ ଭୋଟଦେଇ ଜୟଯୁକ୍ତ କରାଇବାକୁ ମୁଖ୍ୟମନ୍ତ୍ରୀ ଜନସାଧାଣଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ୮ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ କୃଷ୍ଣପାଲ୍ଲିର ହନୁମାନ ବେହେରା, ପୂର୍ବତନ ବାମଣ୍ଡା ସରପଞ୍ଚ ତଥା ପୂର୍ବତନ ବିଜେପିର ବିଧାୟକ ପ୍ରାର୍ଥୀ ଶାନ୍ତନୁ ପ୍ରଧାନ ବିଜେଡିରେ ଯୋଗ ଦେଇଥିଲେ। ବାଉଁଶୁଣୀ ସଭାରେ ବ୍ଲକ ସଭାପତି ବିପିନ୍ ଭୋଇ, ଜିଲ୍ଲା ପରିଷଦ ଜୋନ-୨ର ସଦସ୍ୟା ମମତା ପ୍ରଧାନ, ବଲାଙ୍ଗୀରର ବରିଷ୍ଠ ବିଜେଡି ନେତା ଲଲିତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୁରୁଣାକଟକ ସଭାରେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟେତ୍ସ୍ନାରାଣୀ ଭୋଇ, ହରଭଙ୍ଗା ବ୍ଲକ ଚେୟାରମ୍ୟାନ ବିଶ୍ବଜିତ ମିଶ୍ର, ବୌଦ୍ଧ ଜିଲ୍ଲା ଓକିଲ ସଂଘ ସଭାପତି ତାରିଣୀ ମହାପାତ୍ର, ବିଜେଡି ଜୋନାଲ ସଭାପତି ଅଶୋକ ସାହୁ ଉପସ୍ଥିତ ଥିଲେ। ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ସଭା ପରିଚାଳନା କରିଥିଲେ।

Share This Article
Leave a Comment