ଦଶପଲ୍ଲା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆଠାରୁ ମାଓବାଦୀ ନାମରେ ଧମକପୂର୍ଣ୍ଣ ୨ଟି ପୋଷ୍ଟର୍କୁ ଜବତ କରିଛି ଦଶପଲ୍ଲା ପୁଲିସ୍। ଯେଉଁଥିରେ କି ଦଶପଲ୍ଲାରେ ବିଜେଡି ଟିକେଟ୍ ପାଇଥିବା ରମେଶ ବେହରାଙ୍କୁ ତୁରନ୍ତ ହତ୍ୟା କରାଯିବା ପାଇଁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି।ଏହି ଧମକପୂର୍ଣ୍ଣ ପୋଷ୍ଟର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁଆଁରିଆ ମୃଗ ବିହାର ପାଚେରିରୁ ଗୋଟିଏ ଏବଂ ଜଳସଂପଦ ବିଭାଗ ଡାକ ବଙ୍ଗଳା ନିକଟରୁ ଅନ୍ୟ ଏକ ପୋଷ୍ଟର ଜବତ ହେବା ପରେ ଥାନା ଅଧିକାରୀ ବିଶ୍ବଜିତ୍ ରାଉତରାୟ ଏହାର ତଦନ୍ତ ଆରମ୍ଭ କରିଛନ୍ତି। କିଏ ଓ କେଉଁ ପରିସ୍ଥିତିରେ ଏଭଳି ପୋଷ୍ଟର୍ ମାରିଛି ତାର ଖୋଳତାଡ୍ ଆରମ୍ଭ ହୋଇଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହି ପୋଷ୍ଟର୍ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହାକୁ କୌଣସି ବ୍ୟକ୍ତି ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଇଛି ବୋଲି ଥାନା ଅଧିକାରୀ ବିଶ୍ବଜିତ୍ ରାଉତରାୟ କହିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶଶିଭୁଷଣ ଶତପଥୀ, କୌଣସି ଗୋଷ୍ଠୀ ଜାଣିଶୁଣି ଏହାକୁ ଲଗାଇଛି ବୋଲି କହିଛନ୍ତି। ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୁଲିସ ଏହା ଉପରେ ନଜର ରଖିଥିବା ସେ କହିଛନ୍ତି। କିନ୍ତୁ ବଡ଼କଥା ହେଉଛି ଟିକେଟ୍ ବଂଟାକୁ ନେଇ ରାଜନୈତିକ ଶତ୍ରୁତା ରଖି କିଛି ବିପକ୍ଷ ଗୋଷ୍ଠୀ ମାଓବାଦୀଙ୍କ ନାମରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର୍ ଲଗାଇ ବିଜେଡି ଗୋଷ୍ଠୀ ଓ ପ୍ରଶାସନିକ ଅଧିକାରୀଙ୍କୁ ବିଭ୍ରାନ୍ତରେ ପକାଇବା ପାଇଁ ଚକ୍ରାନ୍ତ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର୍କୁ ଜିଲ୍ଲାର ପୁଲିସ୍ ପ୍ରଶାସନ ଓ ଗୁଇନ୍ଦା ବିଭାଗ କିଭଳି ସାମ୍ନା କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।