କ୍ୟାବିନେଟ୍‌ ନିଷ୍ପତ୍ତି : କାଳିଆ ଯୋଜନାରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

Odisha Hot News
2 Min Read

ଭୁବନେଶ୍ୱର : ମଙ୍ଗଳବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୭ଟି  ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚାଷୀଙ୍କୁ ଖୁସି କରିବାକୁ କାଳିଆ (କୃଷକ ଆସିଷ୍ଟାନ୍ସ ଫର ଲାଇଭ୍‌ଲିହୁଡ ଆଣ୍ଡ ଇନ୍‌କମ୍‌ ଅଗମେଣ୍ଟେଶନ) ଯୋଜନାକୁ ରାଜ୍ୟ ସରକାର ସମ୍ପ୍ରସାରଣ କରିଛନ୍ତି। ୨୦୧୮-୧୯ରେ ଏହି ଯୋଜନାରେ ଆଉ ୧୦ ଲକ୍ଷ ନାମମାତ୍ର, ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକ ପରିବାରକୁ ସାମିଲ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାକୁ ମିଶାଇଲେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୪୫ ଲକ୍ଷକୁ ବୃଦ୍ଧି ପାଇଛି। ଏହାଛଡା ଚାଷୀମାନଙ୍କୁ କୃଷି ସାମଗ୍ରୀ କିଣିବା ପାଇଁ ଅକ୍ଷୟତୃତୀୟ ଓ ନୂଆଖାଇରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା। ତେବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଖରିଫ ଫସଲ ପାଇଁ ଏପ୍ରିଲ ୧ ଓ ରବି ଫସଲ ପାଇଁ ସେପ୍ଟେମ୍ବର ୧ରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଓଡ଼ିଶା ଅଗ୍ନି ନିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ-୨୦୧୭କୁ ସଂଶୋଧନ କରାଯାଇଛି। ଏହି ନିୟମାବଳୀର ଧାରା  ୪(୨), ୯(୧), ୯(୧୨), ୧୦(୧), ୧୦(୭),୧୩(୩) ଏବଂ ୨୨ରେ ଥିବା କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇ ଓଡ଼ିଶା ଅଗ୍ନି ନିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ-୨୦୧୯ କାର୍ଯ୍ୟକାରୀ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସେହିପରି ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ  ଅଧିକ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରାଥମିକ ଶିକ୍ଷା କ୍ୟାଡର ପୁନର୍ଗଠନ କରିଛନ୍ତି। କ୍ୟାଡର ପୁନର୍ଗଠନ ଦ୍ୱାରା ସ୍କୁଲ ଶିକ୍ଷକମାନେ ନିଜ ଚାକିରି କାଳ ମଧ୍ୟରେ ଅତି କମ୍‌ରେ ତିନୋଟି ପଦୋନ୍ନତି ପାଇପାରିବେ। ଏଥିପାଇଁ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ପ୍ରଧାନଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି।  ଏହାଦ୍ୱାରା ରାଜ୍ୟର ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ତୁରନ୍ତ ଉପକୃତ ହେବେ। ପରବର୍ତ୍ତୀ ସମୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ ଉପକୃତ ହେବେ।

Share This Article
Leave a Comment