ଭୁବନେଶ୍ୱର : ଓଲିଉଡରେ ଜଣେ ଜଶାଶୁଣା ସିନେ ନିର୍ଦ୍ଦେଶକ ହେଉଛନ୍ତି ଚକ୍ରଧର । ସେ ୧୫ ଦିନ ଧରି ଏମ୍ସ୍ରେ ଚିକିତ୍ସିତ ହେଉଥିଲେ । ସେ ଲଙ୍ଗ୍ ଇନଫେକ୍ସନରେ ପୀଡ଼ିତ ଥିଲେ। ଆଜି ସକାଳ ୫ଟା ୪୫ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ସେ ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ସାହୁ ପୁନେ ଫିଲ୍ମ୍ ଇନଷ୍ଟିଚ୍ୟୁଟ୍ରୁ ଫିଲ୍ମ ଏଡିଟିଂରେ ଡିପ୍ଲୋମା କରିଥିଲେ । ସେ କିଛି ଦିନ ମୁମ୍ବାଇରେ କାର୍ଯ୍ୟ କରିବା ପରେ ଓଡ଼ିଶା ଆସିଥିଲେ । ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ଶ୍ୟାମ ବୋନଗାଲଙ୍କ ସହକାରୀ ଭାବେ ମଧ୍ୟ ସେ କାର୍ୟ୍ୟ କରିଥିଲେ । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢ଼ିବା ବେଳେ ରାଜକୁମାର ହୀରାନୀ, ସଞ୍ଜୟ ଲୀଳା ଭଂସାଲିଙ୍କ ପରି ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କର ସହପାଠୀ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଛି ଓ ଶୋକର ଛାୟା ଖେଳିଯାଇଛି ।