ଉତ୍କଟ ହେଉଛି ଦାଦନ ଯନ୍ତ୍ରଣା !

Odisha Hot News
1 Min Read


ବଲାଙ୍ଗିର ; ପୁଣି ଦାଦନ ନେଲା ଆଉ ଏକ ଶ୍ରମିକର ଜୀବନ । ଦାଦନ ଖଟିବାକୁ ଯିବାରେ ବିଳମ୍ବ ହେବାରୁ ଦାଦନ ସର୍ଦ୍ଦାରଙ୍କ ମାଡରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।
ସୂଚନାନୁସାରେ, ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେରପଦର ଗାଁର ଜଗଦୀଶ ମିର୍ଦ୍ଧା ନାମକ ଜଣେ ଶ୍ରମିକ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହାଙ୍କ ଠାରୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଆଣିଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେଣୁ ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ସର୍ଦ୍ଦାର ଭଗବାନ ଏବଂ ଶାନ୍ତି ବରିହା ଜୋରଜବରଦସ୍ତ ଉଠାଇ ନେଇଥିଲେ। ରାତି ସାରା ଜଗଦୀଶଙ୍କୁ ମାଡ଼ ମାରିବା ପରେ ତା’ପର ଦିନ ସକାଳେ ଅଚେତ ଅବସ୍ଥାରେ ଘର ସାମ୍ନାରେ ପକାଇ ଦେଇଥିଲେ।ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏନେଇ ଜଗଦୀଶଙ୍କ ପରିବାର ପକ୍ଷରୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Share This Article
Leave a Comment