ନାମାଙ୍କନ ପତ୍ର ଦାଖଲ ସରିଲା, ଗୁରୁବାରଠୁ କମ୍ପିବ ମଇଦାନ – Fast News Network

Odisha Hot News
2 Min Read

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଇଦାନ ବି ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ। ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତାକାଲି ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଆଜି ନାମଙ୍କନ ଦାଖଲର ଶେଷ ଦିନରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରବଳ ଜନସମାଗମ ହୋଇଥିଲା।
ବ୍ରଜରାଜନଗର ଉପ ନିର୍ବାଚନ ପାଇଁ କମ୍ପିଲା ଝାରସୁଗୁଡା । ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦିନ ପ୍ରାୟ ସାଢେ ୧୦ ଟାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହଜାର ହଜାର ସମର୍ଥକଙ୍କ ଗହଣରେ ବେହେରାମାଲ ଠାରୁ ଏକ ଶୋଭାଯାତ୍ରାରେ ଆସି ଝାରସୁଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସେଠାରୁ ସେ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅନ୍ୟ ମନ୍ତ୍ରୀ, ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ ।
ଏହାପରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରାଧାରାଣୀଙ୍କ ସହବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ଛତିଶଗଡର ବିଜେପି ସାଂସଦ ଗୋମତୀ ସାଏଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ । ଏମାନଙ୍କ ପରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ମଧ୍ୟ ନିଜ ସମର୍ଥକଙ୍କ ସହ ବେହେରାମାଲରୁ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହ ଦଳର ତୁଙ୍ଗନେତା ମାନେ ଉପସ୍ଥିତ ଥିଲେ। ନାମାଙ୍କନପତ୍ର ଦାଖଲ ପରେ ସବୁ ପ୍ରାର୍ଥୀ ନିଜର ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି ।
ପ୍ରାର୍ଥିପତ୍ର ଦାଖଲ ସରିଛି । ଆସନ୍ତାକାଲିଠାରୁ ବ୍ରଜରାଜନଗରର ରାଜନୈତିକ ମଇଦାନ କମ୍ପିବ । ନିଜ ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବେ ଅନେକ ବଡ଼ନେତା। କିନ୍ତୁ ଆଜି ଝାରସୁଗୁଡ଼ାରେ ପହଞ୍ଚିଥିବା ସବୁ ରାଜନୈତିକ ଦଳର ନେତାମାନେ ନିଜ ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ଶେଷଦିନରେ ୧୧ ଜଣ ପ୍ରାର୍ଥୀଙ୍କ ସହ ମୋଟ୍ ୧୪ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇ ଥିବାରୁ ଏଥର ଜୋରଦାର ଫାଇଟ୍ ହେବ ବୋଲି ଆଶା କରାଯାଉଛି।

Share This Article