ଆଖୁଆପଦା ଜଳସେଚନ ଡିଭିଜନ ଭବିଷ୍ୟତକୁ ନେଇ ବିଜେପିର ପ୍ରଶ୍ନ

Odisha Hot News
2 Min Read

ଭଦ୍ରକ: ଭଦ୍ରକ ଜିଲା ଆଖୁଆପଦା ଜଳସେଚନ ଉପ ବିଭାଗକୁ ଉନ୍ନିତ କରି ଡିଭିଜନ ପ୍ରତିଷ୍ଠା ହୋଇଛି । ଏହାକୁ ୧୦ ମାସ ମଧ୍ୟ ପୂରଣ ହୋଇଛି । ମାତ୍ର ଏହି ନବଗଠିତ ଡିଭିଜନର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ । ଗତ ୨୦୨୧ ଅଗଷ୍ଟ ୨ ତାରିଖ ଦିନ ଡିଭିଜନର ପ୍ରଥମ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କରିଥିଲେ ହେଁ ଡ୍ରଇଂ କ୍ଷମତା ପ୍ରଦାନ କରାଯାଇ ନଥିବାରୁ ଯୋଗଦେବା ଦିନ ଠାରୁ ଦରମା ପାଇନାହାନ୍ତି । ତାଙ୍କ ଅବସର ସମୟକୁ ଆଉ ମାତ୍ର ମାସେ ରହିଲା । କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ନଥିବାରୁ ସେ ମଧ୍ୟ କାର୍ଯ୍ୟାଳୟକୁ ଆସୁନଥିବା ଜଣାଯାଇଛି । ଡିଭିଜନ ପାଇଁ ଜଣେ ଇଷ୍ଟିମେଟରଙ୍କୁ ବଦଳି କରାଯାଇଛି । ଅବସ୍ଥା ଦେଖି ସେ ଯୋଗ ଦେଉନାହାନ୍ତି । ଏବେ ଡ୍ରଇଂ କ୍ଷମତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି । ମାତ୍ର କାର୍ଯ୍ୟକାରୀ କେବେ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଖୁଆପଦା କାର୍ଯ୍ୟାଳୟରେ ଏବେ ବି ଲାଗିଛି ‘ଜଳସେଚନ ଉପ ବିଭାଗ କାର୍ଯ୍ୟାଳୟ’ ସୂଚନା ଫଳକ । ଡିଭିଜନ ପାଇଁ ଆବଶ୍ୟକ ସପୋର୍ଟ ଷ୍ଟାଫ ଙ୍କୁ ନିଯୁକ୍ତି ଦିଆଯାଇ ନାହିଁ କି ଯାଜପୁର ଡିଭିଜନରୁ କୌଣସି ଫାଇଲ ହସ୍ତାନ୍ତର ମଧ୍ୟ ହୋଇ ନାହିଁ । ଷ୍ଟାଫ କ୍ୱାଟର ମଧ୍ୟ ନିର୍ମାଣ କରାଯାଉ ନାହିଁ । ଆଖୁଆପଦା ଡିଭିଜନକୁ ପୁର୍ନଗଠନ କରାଯାଇ ସାଳନ୍ଦୀ ଡିଭିଜନରୁ ଚାନ୍ଦବାଲି ସବଡିଭିଜନକୁ ଆଣି ଆଖୁଆପଦାରେ ମିଶ୍ରଣ ହେବାକୁ ସରକାରୀ ବିଜ୍ଞପ୍ତିରେ ପ୍ରସ୍ତାବ ରହିଥିଲା । ଯାହାଦ୍ୱାରା ବୈତରଣୀ ଜଳସେଚନ ଭଦ୍ରକ ଜିଲ୍ଲାର ଗୋଟିଏ ଡିଭିଜନ ଅଧିନରେ ଏକକାଳୀନ ଭାବେ ପରିଚାଳିତ ହେବ । ମାତ୍ର ତାହା ଏବେ ଶୀତଳଭଣ୍ଡାରରେ ରହିଛି । ଅନ୍ୟ ପକ୍ଷରେ ସବଡିଭିଜନ କାର୍ଯ୍ୟାଳୟର କର୍ମଚାରୀମାନେ ଯାଜପୁର ଡିଭିଜନ ସହ ଅତିରିକ୍ତ ଦାଇତ୍ୱରେ ରହି ଦରମା ନିୟମିତ ଭାବେ ପାଉଛନ୍ତି । ଏବେ ଆଖୁଆପଦା ଆନିକଟରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ ବ୍ଲକ ଅଞ୍ଚଳର ୧୯,୬୫୩.୬୩ ହେକ୍ଟର ଚାଷ ଜମିକୁ ଖରିଫ ଫସଲ ପାଇଁ ଓ ୮୧୦ ହେକ୍ଟର ଚାଷ ଜମିକୁ ରବି ଫସଲ ପାଇଁ ଜଳସେଚନ ସୁବିଧା ୨୬୯.୩୮୦ କିଲୋମିଟର ଦୀର୍ଘ ହାଇଲେବୁଲ, ମାଇନର, ସବମାଇନର ଓ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରହିଛି । ପୂର୍ବଭଳି ଆଖୁଆପଦା ଆନିକଟ ସିଷ୍ଟମ ଜଳସେଚନ ପରିଚାଳନା ଯାଜପୁର ଜଳସମ୍ପଦ ବିଭାଗ ଡିଭିଜନର ନିୟନ୍ତ୍ରଣରେ କାର୍ଯ୍ୟ କରୁଛି । ଭଦ୍ରକ ପଟେ ବୈତରଣୀ ନଦୀବନ୍ଧ ମୁକୁଳା ପଡିଛି । ଭିତ୍ତିଭୂମି ଥିବାରୁ ଆଖୁଆପଦା ଆନିକଟକୁ ଉନ୍ନିତ କରାଯାଇ ବ୍ୟାରେଜ ନିର୍ମାଣ କରାଯିବ ବୋଲି ଜନସାଧାରଣ ଆଶା ରଖିଥିଲେ । ଫଳରେ ବର୍ଷ ତମାମ ଜଳସେଚନ ସୁବିଧା ସହ ବନ୍ୟା ନିୟନ୍ତ୍ରଣ ସୁବିଧା ଜିଲ୍ଲାର ଚାଷୀମାନଙ୍କୁ ମିଳିପାରିଥାନ୍ତା । ମାତ୍ର ତାହା ଆଶାରେ ରହିଗଲା । ନୂତନ ଡିଭିଜନ ପ୍ରତିଷ୍ଠା ଭେଳିକିରେ ଜିଲ୍ଲାର ଜନସାଧାରଣ ଭକୁଆ ବନାଯାଇଛି ବୋଲି ଶ୍ରୀ ଧଳ କ୍ଷୋଭର ସହ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Share This Article